‘ସୁବାସ ବୋଷଙ୍କ ଜନ୍ମଦିବସକୁ ଜାତୀୟ ଅବକାଶ ଘୋଷଣା କରାଯାଉ’

କୋଲକାତା,ଏଜେନ୍ସି: ଜାନୁଆରୀ ୨୩ରେ ପାଳିତ ହେଉଥିବା ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମଦିବସକୁ ଜାତୀୟ ଅବକାଶ ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହାଛଡ଼ା ପ୍ରଧାନମନ୍ତ୍ରୀ ମୋଦୀ ବ୍ୟକ୍ତିଗତ ଭାବେ ୧୯୪୫ ଅଗଷ୍ଟ ୧୮ରେ ନେତାଜୀ ନିଖୋଜ ହୋଇଥିବା ଘଟଣାକୁ ଏକ ନିର୍ଣ୍ଣାୟକ ମୋଡ଼ ଦେବାକୁ ମଧ୍ୟ ଆବେଦନ କରିଛନ୍ତି। ଚିଠିରେ ମମତା ଲେଖିଛନ୍ତି ଯେ, ନେତାଜୀଙ୍କ ପାଇଁ ଆମ ହୃଦୟରେ ଏକ ବିଶେଷ ସ୍ଥାନ ରହିଛି। ଅନେକ ଦିନ ହେଲା ଜାନୁଆରୀ ୨୩କୁ ଜାତୀୟ ଅବକାଶ ଭାବେ ଘୋଷିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ନିକଟରେ ଆବେଦନ କରାଯାଉଛି। ସୂଚନାଯୋଗ୍ୟ, ୧୮୯୭ ଜାନୁଆରୀ ୨୩ରେ ଜନ୍ମଗ୍ରହଣ କରିଥିବା ନେତାଜୀ ସୁବାସ ବୋଷଙ୍କର ଆସନ୍ତା ବର୍ଷ ୧୨୪ତମ ଜନ୍ମଦିବସ ପାଳନ କରାଯିବ।