ଚାନ୍ଦିପୁରରୁ ଦୂରଗାମୀ ସବସୋନିକ୍‌ କ୍ରୁଜ୍‌ ମିସାଇଲ ‘ନିର୍ଭୟ’ର ସଫଳ ପରୀକ୍ଷଣ

ଚାନ୍ଦିପୁର,ଏନ୍ଏନ୍ଏସ୍: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ଆଜି ଦୂରଗାମୀ ସବସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନିର୍ଭୟ କ୍ଷେପଣାସ୍ତ୍ରକୁ ଆଜି ସକାଳ ୯ଟା ୫୩ ମିନିଟରେ ଉତକ୍ଷେପଣ କରାଯାଇଛି। ପରୀକ୍ଷା ସମୟରେ ସ୍ୱତନ୍ତ୍ର ଭାବେ ଲଗାଯାଇଥିବା ରାଡ଼ାର ମାଧ୍ୟମରେ ସଂଗୃହିତ ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି। ପୂର୍ବରୁ ନିର୍ଭୟ ମିସାଇଲରେ ଟର୍ବୋଫ୍ୟାନ୍‌ ଇଞ୍ଜିନ୍‌ ବ୍ୟବହାର କରାଯାଉଥିବାବେଳେ, ଚଳିତ ପରୀକ୍ଷାରେ ଏହି କ୍ଷେପଣାସ୍ତ୍ରରେ ‘ମାଣିକ୍‌ ଟର୍ବୋଫ୍ୟାନ୍‌’ ଇଞ୍ଜିନ୍‌ ବ୍ୟବହାର କରାଯାଇ ପରୀକ୍ଷା କରାଯାଇଛି।

ଫଳରେ ଡ଼ିଆରଡ଼ିଓ ତରଫରୁ ଏହାକୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ ମିସାଇଲ୍ ବୋଲି କୁହାଯାଉଛି। ‘ମାଣିକ୍‌ ଟର୍ବୋଫ୍ୟାନ୍‌’ ଇଞ୍ଜିନ୍‌ ମାଧ୍ୟମରେ ଏହି ମିସାଇଲ ଅଧିକ ବେଗ ପାଇବା ସହିତ କମ୍‌ ଶବ୍ଦ କରିବ। ନିର୍ଭୟ ମିସାଇଲର ଓଜନ ୧୫୦୦ କିଲୋଗ୍ରାମ ହୋଇଥିବାବେଳେ ଏହାର ଲମ୍ବ ୬ ମିଟର, ମୋଟେଇ ୦.୫୨ ମିଟର ଓ ଏହାର ଡ଼େଣାର ଲମ୍ବ ୨.୭ ମିଟର ରହିଛି।

ଏହି କ୍ଷେପଣାସ୍ତ୍ରରେ ୨ ଶହରୁ ୩ ଶହ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ। ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ନିର୍ଭୟ ମିସାଇଲର ବେଗ ଶବ୍ଦର ବେଗ ଠାରୁ ୭ରୁ ୯ ଗୁଣ ଅଧିକ। ଏହି କ୍ଷେପଣାସ୍ତ୍ରକୁ ପ୍ରଥମେ ୨୦୧୩ ମସିହା ମାର୍ଚ୍ଚମାସ ୧୨ ତାରିଖରେ ଚାନ୍ଦିପୁରରୁ ପରୀକ୍ଷା କରାଯାଇଥିବାବେଳେ, ଆଜି ୯ମ ଥର ପାଇଁ ଏହାର ପରୀକ୍ଷା କରାଯାଇଛି।