ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍: ବିଦ୍ୟାଳୟକୁ ସରକାର ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରି ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ ପାଇଁ ନାନା ଯୋଜନା କରୁଥିବାବେଳେ କେତେକାଂଶରେ ଶିକ୍ଷକଙ୍କ ପକ୍ଷରୁ ସରକାରୀ ଘୋଷଣାକୁ ଫୁ କରାଯାଉଥିବା ଦେଖିବାକୁ ମିଳିଛି। ଫଳରେ ଶିକ୍ଷକ, ଅଭିଭାବକ ଓ ଛାତ୍ରଙ୍କ ମଧ୍ୟରେ ତିକ୍ତତା ପ୍ରକାଶ ପାଉଛି। ଏଭଳି ଏକ ଘଟଣା ରିଆମାଳ ବ୍ଲକ ଅନ୍ତର୍ଗତ କୁଣ୍ଢେଇଗୋଳା ଗ୍ରାମରେ ଦେଖିବାକୁ ମିଳିଛି। କୁଣ୍ଢେଇଗୋଳା ସରକାରୀ ହାଇସ୍କୁଲର ଜଣେ ଶିକ୍ଷକଙ୍କ ନିସ୍ତୁକ ମାଡ଼ରେ ଦଶମ ଶ୍ରେଣୀ ଛାତ୍ର ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଅନ୍ୟପଟେ ଛାତ୍ରଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ବିଭିନ୍ନ ଦଫାରେ କୁଣ୍ଢେଇଗୋଳା ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ମିଳିଥିବା ରିପୋର୍ଟ ମୁତାବକ, କୁଣ୍ଡେଇଗୋଳା ଗ୍ରାମରେ ନିଜ ମାମୁଁ ଘରେ ରହି ପାଠ ପଢ଼ୁଥିବା କୁଣ୍ଢେଇଗୋଳା ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଶ୍ରୀତମ ଗଡ଼ନାୟକ ରାସ୍ତାରେ ଉକ୍ତ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତପନ ମିଶ୍ରଙ୍କୁ ନମସ୍କାର କରିନଥିବାରୁ ଗତକାଲି ଶିକ୍ଷକ ତାଙ୍କୁ ବାଡ଼ିରେ ନିସ୍ତୁକ ପିଟିଥିଲେ। ଏପରିକି ଗୋଟିଏ ବାଡ଼ି ଭାଙ୍ଗିଯିବାରୁ ଆଉ ଗୋଟିଏ ବାଡ଼ି ଆଣି ଶ୍ରୀତମଙ୍କୁ ପିଟିଥିଲେ। ଶିକ୍ଷକଙ୍କ ମାଡ଼ରେ ଶ୍ରୀତମର ଶରୀର ସାରା ଫୁଲି ଯାଇଥିବାବେଳେ ଘରକୁ ଆସିବା ପରେ ଅସୁସ୍ଥତା ଅନୁଭବ କରି ଗୁରୁତର ହୋଇ ପଡ଼ିଥିଲେ। ଫଳରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଶିକ୍ଷକଙ୍କ ଏଭଳି ବର୍ବରତାକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଇଛି।