ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର ଜିଲ୍ଲା By Nitidin Last updated Nov 1, 2019 Share ଝାରସୁଗୁଡ଼ା,ଏନ୍ଏନ୍ଏସ୍ : ଝାରସୁଗୁଡ଼ା ଜିଲ୍ଲା ବାଲିଜୋରି ନୋଡାଲ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ମାଡ଼ରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଛାତ୍ର ଜଣକ ହେଲେ ଶିବ ଧୁରୁଆ (୧୩)। ଶିକ୍ଷକଙ୍କ ମାଡ଼ ଯୋଗୁ ଶିବଙ୍କ ମୁହଁରେ ମାଡ଼ର ଚିହ୍ନ ଦେଖାଯିବା ସହ ଆଖି କଳା ପଡ଼ିଯାଇଛି। ସେ ବାରମ୍ବାର ବାନ୍ତି କରି ଦୁର୍ବଳ ହୋଇଯାଇଛନ୍ତି। ଫଳରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶିବଙ୍କ ମୁହଁରେ ରକ୍ତ ଜମାଟ ବାନ୍ଧିଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ସୂଚନା ଅନୁଯାୟୀ, ଗୁରୁବାର ବିଦ୍ୟାଳୟ ଛୁଟି ପରେ ଦୁଇ ଜଣ ଛାତ୍ର ଦୁଷ୍ଟାମୀ କରୁଥିଲେ। ସେହି ସମୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆସି ଶିବଙ୍କ ମୁହଁରେ ମାଡ଼ ମାରିଥିଲେ। କିଛି ସମୟ ପରେ ଶିବ କାନ୍ଦି କାନ୍ଦି ଘରକୁ ଆସି ଶିକ୍ଷକ ମାଡ଼ ମାରିଥିବା କଥା କହି ବାନ୍ତି କରିବା ଆରମ୍ଭ କରିଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ବାନ୍ତି ବନ୍ଦ ନହେବାରୁ ଦୁର୍ବଳ ଦୁର୍ବଳ ହୋଇପଡ଼ିଥିଲେ। ଫଳରେ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତି କରିଥିଲେ। ଘଟଣା ବିଷୟରେ ଖବରପାଇ ଚାଇଲ୍ଡ ଲାଇନ ଏବଂ ଶିଶୁ ମଙ୍ଗଳ ବିଭାଗ ଅଧ୍ୟକ୍ଷା ନନ୍ଦିନୀ ପାଢ଼ୀ ଶିଶୁର ସ୍ୱାସ୍ଥ୍ୟବସ୍ଥା ତଦାରଖ କରିଛନ୍ତି। ଏହାସହ ସେ କହିଛନ୍ତି ଶିଶୁଙ୍କୁ ଗାଳିଦେବା ବା ମାଡ଼ ମାରିବା ଉଚିତ ନୁହେଁ। ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ପାଇଁ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ମିତ୍ରଭାନୁ କଚ୍ଛପ ଏହି ଘଟଣା ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଘଟଣାରେ ପ୍ରଧାନ ଶିକ୍ଷକ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। Share