ଶିକ୍ଷକ ଓ ଶ୍ରେଣୀ ସମସ୍ୟାକୁ ନେଇ ସ୍କୁଲ ଗେଟ୍‌ରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଆଳି,ଏନ୍ଏନ୍ଏସ୍: ଆଳି ବ୍ଲକ୍ ଅନ୍ତର୍ଗତ ମହୁ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଓ ଶିକ୍ଷକ ସମସ୍ୟାକୁ ନେଇ ସୋମବାର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି। ସୂଚନା ଅନୁଯାୟୀ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଲାଗିରହିଥିବା ଏହି ସମସ୍ୟା ସମ୍ପର୍କରେ ବ୍ଲକ୍ ଶିକ୍ଷା ବିଭାଗ ଅବଗତ ଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ପଦକ୍ଷେପ ନିଆଯାଉନାହିିଁ। ଫଳରେ ବାଧ୍ୟହୋଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି।

ତେବେ ସ୍କୁଲ ଶ୍ରେଣୀ ଗୃହର ଆଜିବେଷ୍ଟସ ଘର ଭାଙ୍ଗି ଘର ଭିତରେ ବର୍ଷା ପାଣି ପଡୁଥିବା ବେଳେ ଅନେକ ସମୟରେ ଶ୍ରେଣୀରେ ସାପ ପଶିଯାଉଥିବା ଅଭିଯୋଗ ହୋଇଛି। ଏଥି ସହିତ ସ୍କୁଲରେ ୩ ଟି ଶ୍ରେଣୀପାଇଁ ମାତ୍ର ୨ ଜଣ ଶିକ୍ଷକ ଥିବାରୁ ଶିକ୍ଷାଦାନରେ ମଧ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ବିଦ୍ୟାଳୟରେ ତୁରନ୍ତ ଆଉ ୨ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବା ସହିତ ନୂତନ କୋଠା ଗୃହ ନିର୍ମାଣ ପାଇଁ ଦାବି କରାଯାଇଛି।