ଫସଲ ବୀମା ମିଳୁ ନଥିବାରୁ ଚାଷୀ ମାନେ ସରମୁହାଁନରେ ରାସ୍ତାରୋକ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସୁନାମୁଦି ସେବା ସମବାୟ ସମିତିର ଅନ୍ତର୍ଗତ ଦେଉଲଗାଁର ଚାଷୀଙ୍କୁ ଗତ ୨୦୧୯ ବର୍ଷ ଖରିଫ ଋତୁର ଫସଲ ବୀମା ରାଶି ପ୍ରଦାନ କରାଯାଇ ନଥିବା ଅଭିଯୋଗ ହୋଇଛି। ଏନେଇ ଆଜି ସୁନାମୁଦି ଓ ଦେଉଲଗାଁର ଶତାଧିକ ଚାଷୀ ବଲାଙ୍ଗିର ପାଟଣାଗଡ଼ ମୁଖ୍ୟ ରାସ୍ତାରେ ଥିବା ସରମୁହାଁନ ଠାରେ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଛି। ସେହିପରି ଉକ୍ତ ରାସ୍ତାଟି ପ୍ରଶାସନିକ ଅଧିକାରୀମାନଙ୍କ ଅଫିସ ଯାଆସ କରିବାରେ ଲାଗୁଥିବାରୁ ସେମାନଙ୍କ ଠାରେ ଅସନ୍ତୋଷ ପ୍ରକାଶ ପାଇଛି।

ପୂର୍ବରୁ ଏହି ଚାଷୀ ମାନେ ଗତ ୨୦ ତାରିଖରେ ବୀମା ରାଶି ପାଇଁ ଉପଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଉପଜିଲ୍ଲାପାଳ ଆସନ୍ତା ୭ ଦିନ ଭିତରେ ଏହି ସମସ୍ୟାର ସମାଧାନ କରିବାକୁ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ହେଁ ଦାବି ପୂରଣ ହୋଇନାହିିଁ। ଫଳରେ ଚାଷୀମାନେ ରାସ୍ତାରୋକ କରିଛନ୍ତି। ଗତ ଖରିଫ ଋତୁରେ ଏହି ଦୁଇଟି ଗ୍ରାମର ଚାଷୀମାନେ ସୁନାମୁଦି ସେବାସମବାୟ ସମିତିରେ ନିଜ ନିଜର ଫସଲ ବୀମା କରିଥିଲେ। କିନ୍ତୁ ଏହି ସମବାୟ ସମିତିକୁ ଛାଡି ଦେଲେ ବାକି ସମବାୟ ସମିତି ପକ୍ଷରୁ ଚାଷୀମାନଙ୍କୁ ବୀମା ପ୍ରଦାନ କରାଯାଇଛି। ସୁନାମୁଦି ସମବାୟ ସମିତିର ଦୁଇଖଣ୍ଡ ଗ୍ରାମର ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ କରାଯାଇ ନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।