ସିଭିଲ୍ ସର୍ଭିସ ପ୍ରିଲିମ୍ ପରୀକ୍ଷା ସ୍ଥଗିତ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ,ଏଜେନ୍ସି: ଅକ୍ଟୋବର ୪ ତାରିଖରେ ହେବାକୁ ଥିବା ‘ସିଭିଲ୍ ସର୍ଭିସେସ୍‌’ (ପ୍ରିଲିମିନାରୀ) ପରୀକ୍ଷା ବାତିଲ ଲାଗି କରାଯାଇଥିବା ଆବେଦନଗୁଡିକୁ ବୁଧବାର ଦିନ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ତେବେ ଯେଉଁ ପ୍ରାର୍ଥୀମାନେ ଏହି ପରୀକ୍ଷା ପାଇଁ ଶେଷ ପ୍ରୟାସ କରୁଛନ୍ତି ସେମାନଙ୍କ ପାଇଁ କିଛି କୋହଳ କରାଯିବା ନିମନ୍ତେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ୟୁପିଏସ୍‌ସି ପକ୍ଷରୁ ଅଦାଲତରେ କୁହାଯାଇଥିଲା ଯେ ପରୀକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇସାରିଥିବାରୁ ଏହାକୁ ସ୍ଥଗିତ ରଖିବା ସମ୍ଭବ ନୁହେଁ । ଏହି ପରୀକ୍ଷା କରାଇବା ନିମନ୍ତେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଥିବା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଏକ ସତ୍ୟପାଠରୁ ଜଣାପଡିଛି ।
ଏଥିରେ ‘ୟୁପିଏସ୍‌ସି’ ଉଲ୍ଳେଖ କରିଛି, ପରୀକ୍ଷା ପରିଚାଳନା ନିମନ୍ତେ ପରିବହନ ପ୍ରସ୍ତୁତି ବାବଦରେ ୧୬.୦୯ କୋଟି ଟଙ୍କା ବକେୟା ସମେତ କମିସନ୍ ୫୦.୩୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ପରୀକ୍ଷା ବାତିଲ କଲେ ଦେଶର ରାଜକୋଷରୁ ବିପୁଳ କ୍ଷତି ଘଟିବ ।

କମିଶନ କରାଉଥିବା କେତେକ ପରୀକ୍ଷା ମଧ୍ୟ ଇତି ମଧ୍ୟରେ ବାତିଲ କରାଯାଇଛି, କିନ୍ତୁ, ଖାଲି ପଡିଥିବା ସରକାରୀ ଚାକିରି ପୂରଣ ନିମନ୍ତେ ୨୦୨୦ ସିଭିଲ୍ ସର୍ଭିସେସ୍ (ପ୍ରିଲିମିଚାରି) ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ । ଏହାଛଡ଼ା ପରୀକ୍ଷା ଆଉ ବିଳମ୍ବ ନ କରାଇବା କାରଣ ବୁଝାଇବାକୁ ଯାଇ କମିଶନ କହିଛନ୍ତି, ଅକ୍ଟୋବର ୪ ତାରିଖ ବିଳମ୍ବର ଚରମ ସୀମାରେ ପହଞ୍ଚିଲାଣି । ଆହୁରି ବିଳମ୍ବ ହେଲେ ‘ସିଭିଲ୍ ସର୍ଭିସେସ୍‌’ (ମେନ୍‌) ପରୀକ୍ଷା ନିମନ୍ତେ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ବିଭ୍ରାଟ ଘଟିବ । ପୁଣି ପଛକୁ ପଛ ଏ ବର୍ଷର ଅନ୍ୟାନ୍ୟ ପରୀକ୍ଷାଗୁଡିକ ମଧ୍ୟ ଆସୁଛି । ଦେଶର ୭୨ଟି ସହରରେ ୬ ଲକ୍ଷ ପ୍ରାର୍ଥୀ ସିଭିଲ୍ ସର୍ଭିସ ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି ।