ବଲାଙ୍ଗିର, ଏନ୍ଏନ୍ଏସ୍: ବଲାଙ୍ଗିର ଉପଜିଲ୍ଲାପାଳ ସଞ୍ଜୟ ମିଶ୍ରଙ୍କୁ ରାଜ୍ୟ ସରକାର ସସପେଣ୍ଡ କରିଛନ୍ତି। ସେ ନିଜ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ସମ୍ପୃକ୍ତ ମହିଳା ଜଣକ ୩ ଫର୍ଦ୍ଦର ଏକ ଅଭିଯୋଗପତ୍ର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ପ୍ରଦାନ କରିଥିଲେ। ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଏକ ୩ ଜଣିଆ ବିଭାଗୀୟ କମିଟି ଗଠନ କରି ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଡେପୁଟି କଲେକ୍ଟର ସୁଚେତା ପୁଷ୍ପାଙ୍କୁ ତଦନ୍ତ କମିଟିର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇ ଥିଲା । ପ୍ରଥମ ପର୍ଯ୍ୟାୟରେ କମିଟି ସମ୍ପୃକ୍ତ ମହିଳାଙ୍କୁ ଡାକି କାଉନସେଲିଂ କରିବା ସହିତ ତଦନ୍ତ ଆରମ୍ଭ କରିଥିଲା । ଜିଲ୍ଲାପାଳ ମଧ୍ୟ ଏହି ଘଟଣାର ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରାଯାଇଥିବା ଜଣାଇଥିଲେ । ତେବେ ଇତି ମଧ୍ୟରେ ରାଜ୍ୟ ସରକାର ଉପ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କୁ ତାଙ୍କ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ସୂଚନା ଯୋଗ୍ୟ, ନିଲମ୍ବନ ଅବଧି ମଧ୍ୟରେ ଶ୍ରୀ ମିଶ୍ର ମୁଖ୍ୟାଳୟରେ ରହିବେ । ସରକାରଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡି ଯାଇ ପାରିବେ ନାହିଁ । ଏହା ସହିତ ସେ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବେ ବୋଲି ନିଲମ୍ବନ ଆଦେଶରେ କୁହାଯାଇଛି ।