ଆଜିଠାରୁ ଆରମ୍ଭ ହେଲା ମା’ବୈଷ୍ଣବୀ ଦେବୀଙ୍କ ଯାତ୍ରା

ନୂଆଦିଲ୍ଲୀ,ଏଜେନ୍ସି: କରୋନା ମହାମାରୀ ପାଇଁ ବନ୍ଦ ଥିବା ମା’ବୈଷ୍ଣବୀ ଦେବୀଙ୍କ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ଏନେଇ ଜାମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ମାର୍ଚ୍ଚ ମାସରୁ ହିଁ ବୈଷ୍ଣବୀ ଦେବୀଙ୍କ ଯାତ୍ରା ବନ୍ଦ କରାଯାଇଥିଲା। ପ୍ରଥମ ସପ୍ତାହରେ ୨୦୦୦ ଶ୍ରଦ୍ଧାଳୁ ପ୍ରତିଦିନ ଦର୍ଶନ ପାଇଁ ଯାଇପାରିବେ। ଯେଉଁଥିରେ ୧୯୦୦ ଭାରତୀୟ ଓ ୧୦୦ ଜଣ ବିଦେଶୀ ଯାତ୍ରୀ ରହିବେ।

ଏନେଇ ବୈଷ୍ଣୋଦେବୀ ମନ୍ଦିର ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମନ୍ଦିରକୁ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରାଯିବା ସହ କରୋନା ଗାଇଡଲାଇନ୍‌ ନିୟମ ମାନି ଯାତ୍ରା ପାଳନ କରାଯିବ ବୋଲି ମନ୍ଦିର ବୋର୍ଡ ପକ୍ଷରୁ କୁହାଯାଇଛି। ସେହିପରି ଏହି ଯାତ୍ରାରେ ଭକ୍ତମାନେ ସାମିଲ ହେବା ପାଇଁ ପ୍ରଥମେ ଅନଲାଇନରେ ପଞ୍ଜୀକରଣ କରିବେ। ଏଥିସହିତ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସମସ୍ତ ଯାତ୍ରୀଙ୍କର ପ୍ରବେଶ ଦ୍ୱାର ନିକଟରେ ଥର୍ମାଲ ସ୍କ୍ରିନିଂ କରାଯିବ। ଲୋକଙ୍କୁ ଫୋନରେ ଆରୋଗ୍ୟ ସେତୁ ଆପ୍ ଡ଼ାଉନଲୋଡ଼ କରିବାକୁ ପଡ଼ିବ।

ଏହାସହ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ରୋଗ ସହ ଜଡ଼ିତ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ବୟସର ପିଲାମାନଙ୍କୁ ଯିବାକୁ ଅନୁମତି ନାହିଁ। ଏହାସହ ମା’ଙ୍କ ମନ୍ଦିର ପରିସରରେ ୬୦୦ ରୁ ଅଧିକ ଲୋକେ ଏକତ୍ରିତ ହୋଇପାରିବେ ନାହିଁ। ଏହି ସମସ୍ତ ନିୟମ ୩୦ ସେପ୍ଟେମ୍ବର ଯାଏଁ କଡ଼ାକଡ଼ି ଭାବେ ପାଳନ ହେବ। ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ କୌଣସି ପ୍ରକାର ପୂଜା ସାମଗ୍ରୀ ନେବାକୁ ବାରଣ କରାଯାଇଛି। ଦେବୀଦେବତାଙ୍କ ପ୍ରତିମାକୁ ଛୁଇଁବାକୁ ମଧ୍ୟ ବାରଣ ହୋଇଛି।