ସଙ୍କଟରୁ ମୁକୁଳିବା ପାଇଁ ଶ୍ରୀଲଙ୍କାକୁୂ ଆବଶ୍ୟକ ୨୨ ହଜାର କୋଟି

ନୂଆଦିଲ୍ଲୀ,ଏଜେନ୍ସି: ଅର୍ଥନୈତିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସଙ୍କଟ ଦିନକୁ ଦିନ ଆହୁରି ବଢିବାରେ ଲାଗିଛି। ଅର୍ଥନୈତିକ ସଙ୍କଟ କାରଣରୁ ସରକାର ଭାଙ୍ଗିବାକୁ ବସିଥିବା ବେଳେ ଏହି ସଙ୍କଟରୁ ଶ୍ରୀଲଙ୍କାକୁ ରକ୍ଷା କରିବା ପାଇଁ ଆସନ୍ତା ୬ ମାସ ମଧ୍ୟରେ ୩ ବିଲିୟନ ଡଲାର ବା ୨୨ ହଜାର କୋଟି ଆବଶ୍ୟକ। ବିଭିନ୍ନ ପ୍ରକାରର ଜରୁରୀ କାଳୀନ ବ୍ୟବସ୍ଥା ପୂରଣ କରିବା ନିମନ୍ତେ ଏହି ଅର୍ଥ ଆବଶ୍ୟକ ବୋଲି ଶ୍ରୀଲଙ୍କା ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି। ଶ୍ରୀଲଙ୍କାର ଜନ ସାଧାରଣଙ୍କ ସଂଖ୍ୟା ୨.୨ କୋଟି ହୋଇଥିବା ବେଳେ ଏଠାରେ ଗଚ୍ଛିତ ତେଲ ସରିବାକୁ ବସିଲାଣି। ବର୍ତ୍ତମାନ ସମୟରେ ଦିନକୁ ୧୩ ଘଣ୍ଟାର ପାୱାର କଟ୍ ହେଉଥିବା ବେଳେ ଜରୁରୀ କାଳୀନ ସାମଗ୍ରୀ ସହିତ ମେଡିସିନ୍ ମଧ୍ୟ ଶେଷ ହେବାକୁ ବସିଲାଣି। ଏହା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷାଙ୍କ ଉପରେ ଅତିରିକ୍ତ ଚାପ ପକାଉଥିବା ବେଳେ ରାଜରାସ୍ତାରେ ମାତିଛନ୍ତି ପ୍ରତିବାଦକାରୀ।

ତେବେ ଅର୍ଥମନ୍ତ୍ରୀ ଭାବରେ ନିଜର ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ସାକ୍ଷାତକାର ଦେଇଛନ୍ତି ଅର୍ଥମନ୍ତ୍ରୀ ଅଲି ସାବ୍ରି। ଦେଶର ଅର୍ଥବ୍ୟବସ୍ଥାକୁୂ ସୁଧାରିବା ପାଇଁ ବର୍ତ୍ତମାନ ୩ ବିଲିୟନ୍ ଡଲାର ଅର୍ଥରାଶିର ଆବଶ୍ୟକତା ରହିଛି। ଏନେଇ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ସହିତ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି ସାବ୍ରି। ବିଭିନ୍ନ ଅନ୍ତର୍ଜାତୀୟ ସୋଭେରିନ୍ ବଣ୍ଡ ଗୁଡିକୁ ବନ୍ଧକ ରଖି ଜୁଲାଇ ସୁଦ୍ଧା ୧ ବିଲିୟନ ଡଲାରର ଅର୍ଥ ରାଶି ଉଠାଇବାକୁ ଶ୍ରୀଲଙ୍କା ଚିନ୍ତା କରୁଛି ବୋଲି ସାବ୍ରି କହିଛନ୍ତି। ଶ୍ରୀଲଙ୍କାର ଋଣ ବ୍ୟବସ୍ଥା ଆଗାମୀ ଦିନରେ ଆହୁରି ଭୟଙ୍କର ରୂପ ନେବ ବୋଲି ଚେତାଇ ସାରିଲେଣି ଅର୍ଥନୀତିଜ୍ଞ। ଜେପି ମୋର୍ଗାନ ପକ୍ଷରୁ ପ୍ରକାଶିତ ଆକଳନ ଅନୁଯାୟୀ ଚଳିତ ବର୍ଷ ଶେଷ ସୁଦ୍ଧା ଶ୍ରୀଲଙ୍କାର ସମୁଦାୟ ଋଣ ପରିମାଣ ୭ ବିଲିୟନ ଡଲାରରେ ପହଞ୍ଚିବ।

ଏହା ସହିତ ଆର୍ଥିକ ତାରତମ୍ୟର ପରିମାଣ ୩ ବିଲିୟନ ଡଲାର ରହିବାକୁ ଥିବା ବେଳେ ମାର୍ଚ୍ଚ ଶେଷ ସୁଦ୍ଧା ଗଚ୍ଛିତ ବୈଦେଶିକ ମୁଦ୍ରାର ପରିମାଣ ୧.୯୩ ବିଲିୟନ ଡଲାରରେ ରହିବ। ଜେ ପି ମୋର୍ଗାନ ପକ୍ଷରୁ କରାଯାଇଥିବା ଆଉ ଏକ ରିପୋର୍ଟ ଅନୁଯାୟୀ ଶ୍ରୀଲଙ୍କା ବିଭିନ୍ନ ଅନ୍ତର୍ଜାତୀୟ ସୋଭେରିନ୍ ବଣ୍ଡର ବ୍ୟବହାର କରି ୧୨.୫ ବିଲିୟନ ଡଲାରର ଋଣ ନେଇ ସାରିଛି। ତୈଳ, ଖାଦ୍ୟ ଓ ଔଷଧ ଯୋଗାଣର ଯେଉଁ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି ତାହାକୁ ସାଧାରଣ ରୂପକୁ ଆଣିବାକୁ ପଡିବ। ଏହି ଯୋଗାଣ ଚେନ୍ ଠିକ୍ ହେବା ପରେ ଯାଇ ବିଦ୍ୟୁତ ସେବାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇ ପାରିବ।