ପୁଷ୍ଟିକର ଚାଉଳ ପାଇଁ ୨୭୦୦ କୋଟି

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି। ସମସ୍ତ ସରକାରୀ ଯୋଜନାରେ ଅତିରିକ୍ତ ପୋଷଣ-ଯୁକ୍ତ ଚାଉଳ ବିତରଣ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କେନ୍ଦ୍ର ମନ୍ତ୍ରଣାଳୟ। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ଏବଂ ଅନ୍ୟାନ୍ୟ ଯୋଜନା ଅଧୀନରେ ତିନୋଟି ପର୍ଯ୍ୟାୟରେ ପୁଷ୍ଟିକର ଚାଉଳ ବଣ୍ଟନ ଲାଗୁ ହେବ। ବିଭିନ୍ନ କଣ୍ଟ୍ରୋଲ ଦୋକାନ ସହିତ ଅଙ୍ଗନବାଡି ଏବଂ ସ୍କୁଲରେ ଏହି ପୋଷଣଯୁକ୍ତ ଚାଉଳର ଭାତ ପ୍ରଦାନ କରାଯିବ ବୋଲି ଜଣାପଡିଛି। ଏହି ଯୋଜନା ପାଇଁ ୨୭୦୦ କୋଟିର ଅର୍ଥରାଶି ମଞ୍ଜୁର କରାଯାଇଛି।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ସମ୍ପର୍କରେ ଏକ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ସେ ଆହୁରି କହିଛନ୍ତି ଯେ, ଏହି ପରିପ୍ରେକ୍ଷୀରେ ଯୋଗାଣ ଏବଂ ବଣ୍ଟନ ପାଇଁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଏବଂ ରାଜ୍ୟ ଏଜେନ୍ସି ଗୁଡ଼ିକ ୮୮.୬୫ ଲକ୍ଷ ଟନ୍ ଅତିରିକ୍ତ ପୁଷ୍ଟିକର ଚାଉଳ କିଣିସାରିଛନ୍ତି।

ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଏହା କାର୍ଯ୍ୟକାରୀ ହେବ ବୋଲି ଅନୁରାଗ ଠାକୁର କହିଛନ୍ତି। ଏହା ସହିତ ୨୦୨୪ ବର୍ଷ ସୁଦ୍ଧା ପର୍ଯ୍ୟାୟ କ୍ରମେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଏହା କାର୍ଯ୍ୟକାରୀ ହେବ। ଠାକୁର କହିଛନ୍ତି ଯେ, ଏହି ଯୋଜନାରେ ବାର୍ଷିକ ୨,୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ, ଯାହା କେନ୍ଦ୍ର ସରକାର ବହନ କରିବେ।