ଶ୍ରୀଲଙ୍କା ସଂକଟ: ଚୀନ ନିରାଶ କଲା, ପୁଣି ୫୦୦ ମିଲିୟନ ଡଲାର ସହାୟତା ଦେବ ଭାରତ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଶ୍ରୀଲଙ୍କାର ଆର୍ଥିକ ସଙ୍କଟର ପ୍ରାରମ୍ଭରୁ ପ୍ରକୃତ ବନ୍ଧୁ ଭାବେ ରହିଆସିିଥିବା ପଡୋଶୀ ଭାରତ ପୁଣି ଥରେ ଏକ ବଡ ସହାୟତା ପ୍ରଦାନ କରିବ। ଇନ୍ଧନ ଆମଦାନୀ ପାଇଁ ଅତିରିକ୍ତ ୫୦୦ ମିଲିୟନ୍ ଡଲାର୍ ସହାୟତା ପ୍ରଦାନ ପାଇଁ ଅଫର ଦେଲା ଭାରତ। ଶ୍ରୀଲଙ୍କାର ଏକ ବିଲିୟନ ଡଲାର ନିବେଦନ କ୍ରମେ ଭାରତ ଏହି ରାଶି ପ୍ରଦାନ କରିପାରେ ବୋଲି ମିଡିଆ ରିପୋର୍ଟ ପ୍ରକାଶ ପାଇଛି।

ସବୁଠୁ ଉତ୍କଟ ବୈଦେଶିକ ମୁଦ୍ରା ସଙ୍କଟ ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟର ଅଭାବକୁ ନେଇ ଶ୍ରୀଲଙ୍କା ଅତ୍ୟନ୍ତ ନିରାଶ ହୋଇପଡିଥିବା ବେଳେ ଚୀନ ସହାୟତା ପାଇଁ ଆଗକୁ ଆସୁନାହିଁ। ଏପରି ସ୍ଥଳେ ଭାରତ ତାର ସହଯୋଗ ପ୍ରକ୍ରିୟା ଜାରି ରଖିଛି। ପୂର୍ବରୁ ମଧ୍ୟ ଭାରତ ୧.୫ ବିଲିୟନ ଡଲାରରୁ ଅଧିକ ଋଣ ପ୍ରଦାନ କରିସାରିଛି।

ଶ୍ରୀଲଙ୍କାରେ ଅର୍ଥନୈତିକ ସ୍ଥିତି ଗଭୀର ଭାବେ ପ୍ରଭାବିତ ହୋଇଛି। ଏହି ସମୟରେ ଉଭୟ ଭାରତ ଏବଂ ଚୀନ୍‌କୁ ସହାୟତା ପାଇଁ ଅନୁରୋଧ କରିଥିଲେ ଶ୍ରୀଲଙ୍କା କର୍ତ୍ତୃପକ୍ଷ। କଲମ୍ବୋଙ୍କ ଭାରତକୁ ୧ ବିଲିୟନ ଡଲାରର ସହୟତା ପ୍ରଦାନ କରିବାକୁ ଅନୁରୋଧ କରିଥିବା ବେଳେ ଭାରତ ୫୦୦ ମିଲିୟନ ଡଲାରର ସହୟତା ତୁରନ୍ତ ପ୍ରଦାନ କରିଥିଲା। ଅନ୍ୟପଟେ ଶ୍ରୀଲଙ୍କା ସହ ଦୀର୍ଘବର୍ଷର ବାଣିଜ୍ୟିକ ସମ୍ପର୍କ ଥିବା ଚୀନ କିନ୍ତୁ ଶ୍ରୀଲଙ୍କାର ସହାୟତା ନିବେଦନକୁ ଗୁରୁତ୍ବ ନଦେବା ସହ ଅସମର୍ଥତା ପ୍ରକାଶ କରିଛି।

ବର୍ତ୍ତମାନର ସଙ୍କଟକୁ ଏଡାଇବା ପାଇଁ ଶ୍ରୀଲଙ୍କାକୁ ଅତି କମରେ ୪ ବିଲିୟନ ଡଲାରର ଆବଶ୍ୟକତା ରହିଛି । ଶ୍ରୀଲଙ୍କାର ନୂତନ ଅର୍ଥମନ୍ତ୍ରୀ ଅଲି ସାବ୍ରି ବର୍ତ୍ତମାନ ଆଇଏମ୍ଏଫ୍, ବିଶ୍ୱ ବ୍ୟାଙ୍କ, ଚୀନ୍ ଏବଂ ଜାପାନ ସମେତ ଅନ୍ୟ କିଛି ଅନ୍ତର୍ଜାତୀୟ ଅନୁଷ୍ଠାନ ସହ ସହାୟତା ପାଇଁ ଆଲୋଚନା ଜାରି ରଖିଛନ୍ତି। ଶ୍ରୀଲଙ୍କାର ଏକମାତ୍ର ଭୌଗଳିକ ପଡୋଶୀ ଭାରତ ସଙ୍କଟ ଆରମ୍ଭରୁ ସବୁ ପ୍ରକାର ସହାୟତା ଯୋଗାଇ ଚାଲିଛି। ଏକାଧିକ ପର୍ଯ୍ୟାୟରେ ଇନ୍ଧନ, ଶସ୍ୟ ଓ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିସାରିଛି ଭାରତ।