ଏପ୍ରିଲ୍‌ ସୁଦ୍ଧା ଭାରତରେ ମିଳିବ ରୁଷ୍‌ର କୋଭିଡ୍‌ ଟିକା ‘ସ୍ପୁଟ୍‌ନିକ୍‌-ଭି’

ନୂଆଦିଲ୍ଲୀ,ଏଜେନ୍ସି: ମାର୍ଚ୍ଚରୁ ଏପ୍ରିଲ୍‌ ମାସ ମଧ୍ୟରେ ଭାରତରେ ରୁଷ୍‌ ନିର୍ମିତ କରୋନା ଭାଇରସ୍‌ ଟିକା ସ୍ପୁଟ୍‌ନିକ-ଭି ମିଳିବ ବୋଲି ‘ଡ଼କ୍ଟର୍ ରେଡିସ୍‌ ଲାବ୍ରୋଟରି’ର ‘ଏପିଆଇ’ ଏବଂ ‘ଫାର୍ମା ସର୍ଭିସେସ୍‌’ର ମୁଖ୍ୟ ଦୀପକ ସାପ୍ରା କହିଛନ୍ତି। ଭାରତରେ ରୁଷ୍‌ ପ୍ରସ୍ତୁତ ‘ଡକ୍ଟର୍‌ ରେଡିସ୍‌ ଲାବ୍ରୋଟରି’ରେ ଏହି ଟିକା ଉତ୍ପାଦନ କରାଯିବ।

‘ସ୍ପୁଟ୍‌ନିକ୍‌-ଭି’ ଟିକା କରୋନାଭାଇରସ୍‌ ସଂକ୍ରମଣ ବିରୋଧରେ ୯୧.୬% ଫଳପ୍ରଦ ବୋଲି ନିକଟରେ ‘ଲାନସେଟ୍‌’ ଅଧ୍ୟୟନର ମଧ୍ୟବର୍ତ୍ତୀକାଳୀନ ଫଳାଫଳରୁ ଜଣାପଡ଼ିଛି। ଗଣମାଧ୍ୟମକୁ ଦୀପକ ସାପ୍ରା କହିଛନ୍ତି, ୧୨୫ ନିୟୁତ ଜନତାଙ୍କ ପାଇଁ (୨୫୦ ନିୟୁତ ଡୋଜ୍‌) ଟିକା ଉତ୍ପାଦନ କରିବାକୁ ଆମେ ରୁଷ୍‌ ଅଂଶୀଦାରଙ୍କ ସହ ଚୁକ୍ତି କରିଛୁ। ୧୨.୫ କୋଟି ଲୋକଙ୍କୁ ଏତିକ ଟିକା ଯଥେଷ୍ଟ ହେବ।

ବୟସ ବର୍ଗ ନିର୍ବିଶେଷରେ ଅନ୍ୟାନ୍ୟ ଶାରୀରିକ ସମସ୍ୟା ଥିବା ବ୍ୟକ୍ତିଙ୍କ ଶରୀରରେ ମଧ୍ୟ ଏହି ଟିକା ଫଳପ୍ରଦ ହୋଇଥିବା କଥା ୨୦ ହଜାର ଲୋକଙ୍କ ଉପରେ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି ବୋଲି ସେ କହିଛନ୍ତି। ୬୦ରୁ ଊର୍ଦ୍ଧ୍ୱ ବୟସ ବର୍ଗର ବ୍ୟକ୍ତିଙ୍କ ଠାରେ ‘ସ୍ପୁଟ୍‌ନିକ୍‌-ଭି’ର ୯୧.୮% ରୋଗ ପ୍ରତିରୋଧକ କ୍ଷମତାର ଫଳାଫଳ ଏହି ଟିକାର ସୁପ୍ରଭାବକୁ ପ୍ରମାଣିତ କରୁଛି।

ଭାରତରେ ଏହି ଟିକାର ମୂଲ୍ୟ କେତେ ହେବ ତାହା ନିର୍ଦ୍ଧାରିତ ହୋଇ ନ ଥିଲେ ବି, ଅନ୍ୟ ଟିକାଗୁଡ଼ିକର ମୂଲ୍ୟ ଭଳି ସୁଲଭ ହେବ ବୋଲି ସାପ୍ରା କହିଛନ୍ତି।