ଓଡ଼ିଶାରେ ରେଲୱେ ପ୍ରକଳ୍ପ ପାଇଁ କେନ୍ଦ୍ରର ୫,୫୨୮ କୋଟି ବ୍ୟୟ ବରାଦ ଘୋଷଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରାଯିବ। ଏଥିଲାଗି ଚଳିତ ବଜେଟ‌ରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୫,୫୨୮ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

୨୦୦୯-୧୪ ମଧ୍ୟରେ ଓଡ଼ିଶାକୁ ହାରାହାରି ୮୩୮ କୋଟି ଟଙ୍କା ଆସିଥିବା ବେଳେ ୨୦୨୧-୨୨ରେ ଏହାର ୫୬୦ ପ୍ରତିଶତ ଅଧିକ ଅନୁଦାନ ଦିଆଯାଇଥିବା କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି। ଯେଉଁଥିରେ ନୂଆ ରେଳପଥ, ଗେଜ୍ ପରିବର୍ତ୍ତନ ଓ ଦୋହରୀକରଣ ଭଳି ୩୯ଟି ପ୍ରକଳ୍ପ ରହିଛି। ନିର୍ମାଣାଧୀନ ମୋଟ୍ ୪, ୮୭୭ କିଲୋମିଟର ରେଳଲାଇନ୍‌ ପାଇଁ ହୋଇଥିବା ୬୧,୯୪୯ କୋଟି ଟଙ୍କା ଖର୍ଚ୍ଚ ଅଟ୍ଟକଳରେ ଏହା ଏକ ଅଂଶ ବୋଲି କୁହାଯାଇଛି।

୨୮୯ କିଲୋମିଟର ଲମ୍ବର ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳପଥ ପାଇଁ ୫୦୦ କୋଟି ଟଙ୍କା, ୯୮.୭ କିଲୋମିଟର ଲମ୍ବର ଅନୁଗୁଳ-ସୁକିନ୍ଦା ରୋଡ୍ ପାଇଁ ୪୦୦ କୋଟି ଟଙ୍କା, ୮୨ କିଲୋମିଟର ହରିଦାସପୁର-ପାରାଦୀପ ପାଇଁ ୧୦୦ କୋଟି ଟଙ୍କା, ୧୫୪ କିଲୋମିଟର ତାଳଚେର-ବିମଳାଗଡ଼ ପାଇଁ ୧୦ କୋଟି ଟଙ୍କା, ୧୩୦ କିଲୋମିଟର ଜୟପୁର-ମାଲକାନଗିରି ରୁଟ୍ ପାଇଁ ୨୮ କୋଟି ଟଙ୍କା, ୩୮ କିଲୋମିଟର ଲମ୍ବର ଜୟପୁର-ନବରଙ୍ଗପୁର ପାଇଁ ୧୫ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ରେଳମନ୍ତ୍ରୀ।

ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ୍ ପାଇଁ ୨୦ କୋଟି ଟଙ୍କା, ସମ୍ବଲପୁର-ଟିଟିଲାଗଡ଼ ପାଇଁ ୨୫ କୋଟି ଟଙ୍କା ଦିଆଯାଇଥିବା ସୂଚନା ମିଳିଛି। ରାଜ୍ୟରେ ରେଳ ପ୍ରକଳ୍ପ ଗୁଡ଼ିକ ପାଇଁ ଓଡ଼ିଶା ସରକାର ୭,୨୦୦ କୋଟି ଟଙ୍କା ଦାବି କରିଥିବାବେଳେ କେନ୍ଦ୍ର ସରକାର ୫ ହଜାର ୫୨୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି।