କେରଳ ଛୁଇଁଲା ମୌସୁମୀ, ରାଜ୍ୟରେ କାଳବୈଶାଖୀ ସତର୍କତା ଜାରି

ଭୁବନେଶ୍ବର,ଏନ୍ଏନ୍ଏସ୍: କେରଳ ଛୁଇଁଲା ମୌସୁମୀ। ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସାଧାରଣତଃ ଜୁନ୍ ପହିଲାରେ କେରଳ ଛୁଇଁଥାଏ ମୌସୁମୀ। ମାତ୍ର ଏଥର ପାଗ ଅନୁକୂଳ ଥିବାରୁ ସମୟ ଆଗରୁ ମୌସୁମୀ ବାୟୁ କେରଳ ଛୁଇଁଛି। ଫଳରେ କେରଳରେ ଅନେକ ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହୋଇଛି। ମୌସୁମୀ ଓଡ଼ିଶା କେବେ ଛୁଇଁବ ସେ ନେଇ କିଛି ଆକଳନ କରାଯାଇନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପ୍ରକାଶ କରିଛି।

ସାଧାରଣତଃ ମୌସୁମୀ କେରଳ ଛୁଇଁବାର ୭ ରୁ ୧୦ ଦିନ ଭିତରେ ଓଡିଶା ଛୁଇଁଥାଏ। ହେଲେ ଏଥର ଏହାକୁ ନେଇ ବିଭାଗ କୌଣସି ଆକଳନ କରିନଥିବା ବେଳେ ଯଦି ପାଗ ଅନୁକୂଳ ରୁହେ ତେବେ ସବୁ ବର୍ଷ ପରି ଜୁନ ମଧ୍ୟ ଭାଗରେ ହିଁ ମୌସୁମୀ ଓଡିଶା ଆସିପାରେ ବୋଲି ଅନୁମାନ କରାଯାଇଛି। ଓଡିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରାକ ମୌସୁମୀ ବର୍ଷା କିମ୍ବା ଅନୁକୁଳ ପରିବେଶ ସୃଷ୍ଟି ହୋଇନାହିଁ। ତେବେ ଅସହ୍ୟ ଗୁଳୁଗୁଳି ମୌସୁମୀ ପାଇଁ ଏକ ଆବାହକ ସାଜିପାରେ ବୋଲି କୁହାଯାଉଛି।

ଅନ୍ୟପଟେ ରାଜ୍ୟରେ ବତ୍ତର୍ମାନ ୪ରୁ ୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହିତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ କେନ୍ଦ୍ର ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ କହିଛନ୍ତି। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଛି।