ସିଭିଲ ସର୍ଭିସ ପରୀକ୍ଷାରେ ୩୦୬ ରାଙ୍କ ପାଇଲେ ଦେବଗଡ଼ର ସୌମ୍ୟରଞ୍ଜନ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଆଜି ପ୍ରକାଶିତ ସିଭିଲ ସର୍ଭିସ ପରୀକ୍ଷା ଫଳରେ ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ କୁରଡ଼ ଗ୍ରାମର ସୌମ୍ୟରଞ୍ଜନ ପ୍ରଧାନ ୩୦୬ ରାଙ୍କ ପାଇଥିବା ଜଣାପଡ଼ିଛି । ଗତ ଅକ୍ଟୋବରରେ ପ୍ରକାଶିତ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ପରୀକ୍ଷାରେ ସୌମ୍ୟରଞ୍ଜନ ୪ର୍ଥ ରାଙ୍କରେ କୃତକାର୍ଯ୍ୟ ହୋଇ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି ।

୧୯୯୬ ଅଗଷ୍ଟ ୨୯ରେ ଜନ୍ମିତ ସୌମ୍ୟ ଆରମ୍ଭରୁ ଜଣେ ମେଧାବୀ ଛାତ୍ର ଥିଲେ । ସୌମ୍ୟଙ୍କ ପିତା ସଞ୍ଜୀବ କୁମାର ପ୍ରଧାନ ପାଲଲହଡ଼ାସ୍ଥିତ ମାଲ୍ୟଗିରି ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିବାବେଳେ ମା’ କଳ୍ପନା ପ୍ରଧାନ ଜଣେ ଗୃହିଣୀ । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ପ୍ରାଥମିକ ଶିକ୍ଷା ଗ୍ରହଣ ପରେ ବ୍ରହ୍ମପୁର ଏସଏସଭିମରୁ ଯୁକ୍ତ ଦୁଇ ବିଜ୍ଞାନ, ରାଉରକେଲା ଏନଆଇଟିରୁ ବିଟେକ ପାସ କରିବା ପରେ ହରିୟାଣାରେ ହିରୋ ମୋଟୋ କର୍ପରେ ବୈଷୟିକ ବିଶେଷଜ୍ଞ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । କରୋନା ପାଇଁ ଲକଡାଉନ ସମୟରେ ସୌମ୍ୟ ଘରକୁ ଫେରିଆସି ଅନଲାଇନରେ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ । ଓପିଏସସିି ପରୀକ୍ଷାରେ ରାଜ୍ୟରେ ୪ର୍ଥ ସ୍ଥାନ ହାସଲ ପରେ ସେ ୟୁପିଏସସି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ସୌମ୍ୟଙ୍କ ଏହି ସଫଳତା ପରେ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।