ବ୍ରିଟେନ ଫେରନ୍ତାଙ୍କ ପାଇଁ କେନ୍ଦ୍ରର ଏସଓପି

ଦିଲ୍ଲୀ,ଏଜେନ୍ସି: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଆସିବା ଫଳରେ ଚାରିଆଡ଼େ ଆତଙ୍କ ଖେଳିଯାଇଛି। ଏହି ମଧ୍ୟରେ ବ୍ରିଟେନରୁ ଫେରିଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି। ଯାହାଫଳରେ ସମସ୍ତ ଅନ୍ତର୍ଜାତୀୟ ବିମାନଯାତ୍ରୀଙ୍କୁ ଗତ ୧୪ ଦିନର ଟ୍ରାଭେଲ୍ ହିଷ୍ଟ୍ରି ଘୋଷଣା କରି ଆତ୍ମଘୋଷିତ ଫର୍ମ ପୂରଣ କରିବାକୁ କୁହାଯାଇଛି।

ଯେଉଁମାନେ ନଭେମ୍ବର ୨୫ରୁ ଡିସେମ୍ବର ୮ ମଧ୍ୟରେ ବ୍ରିଟେନରୁ ଫେରିଛନ୍ତି ସେମାନଙ୍କୁ ଆର୍‌ଟି-ପିସିଆର୍ ପରୀକ୍ଷା କରାଇବାକୁ ହେବ। ଯଦି ରିପୋର୍ଟ ପଜିଟିଭ୍ ଆସେ ତେବେ ଭୂତାଣୁ ନୂଆ ରୂପର ଆର୍‌ଟି-ପିସିଆର୍ ପରୀକ୍ଷା କରାଯିବ। ଏଥିରେ ପଜିଟିଭ୍ ଚିହ୍ନଟ ଯାତ୍ରୀଙ୍କୁ ସମ୍ପୃକ୍ତ ରାଜ୍ୟ କର୍ତ୍ତୃପକ୍ଷ ଆନୁଷ୍ଠାନିକ ଆଇସୋଲେସନ କେନ୍ଦ୍ରକୁ ପଠାଇବେ। ନୂଆ ଷ୍ଟ୍ରେନ୍ ଚିହ୍ନଟ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ପଠାଯିବ ଓ ସେ ଅଲଗା ଆଇସୋଲେସନରେ ରହିବେ।