ମୁମ୍ବାଇ,ଏଜେନ୍ସି: କୋଭିଡ୍ ସମୟରେ ଅନେକ ଅସହାୟଙ୍କୁ ସହାୟତାର ହାତ ବଢାଇ ପ୍ରଶଂସାର ପାତ୍ର ପାଲଟିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ୍ ଥକିଯାଇନାହାନ୍ତି। ଏ ଦିଗରେ ଆଉ ଏକ କାର୍ଯ୍ୟକ୍ର୍ରମ ସେ ହାତକୁ ନେଇଛନ୍ତି। ଏହାର ନାମ ‘ଖୁଦ୍ କମାଓ, ଘର୍ ଚଲାଓ’ ବୋଲି ରବିବାର ସୋନୁ ନିଜ ଇନଷ୍ଟାଗ୍ରାମରେ ଉଲ୍ଲେଖ କରିଛନ୍ତି। କୋଭିଡ୍ ସମୟରେ ଅନେକ ଲୋକ ଜୀବିକା ହରାଇଛନ୍ତି। ବିଶେଷକରି ନିମ୍ନବର୍ଗର ଲୋକମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।
ସେମାନଙ୍କୁ ପୁଣି ବଞ୍ଚିବାର ରାହା ଦେଖାଇବାକୁ ସୋନୁ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିବା କେତେକଙ୍କୁ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ସୋନୁ ଇ-ରିକ୍ସା ଦେବେ ବୋଲି ଘୋଷଣା କରିଛନ୍ତି। କିଛିମାସ ପୂର୍ବେ ଦେଶରେ ଲକ୍ଡାଉନ ଚାଲିଥିବାବେଳେ ଜୀବିକା ହରାଇଥିବା ଲୋକଙ୍କୁ ପୁନଃନିଯୁକ୍ତ କରାଇବାକୁ ସୋନୁ ‘ପ୍ରବାସୀ ରୋଜଗାର’ ନାମରେ ଏକ ମୋବାଇଲ ଆପ୍ ପ୍ରଚଳନ କରିଥିଲେ। ଏଥିରେ ପ୍ରାୟ ୫୦,୦୦୦ ଲୋକ ଉପକୃତ ହୋଇଥିବା ଜଣାପଡିଛି। ଏପରିକି ଅସହାୟଙ୍କୁ ସାହାଯ୍ୟ କରିବାକୁ ସୋନୁ ନିକଟରେ ମୁମ୍ବାଇସ୍ଥିତ ନିଜ ସମ୍ପତ୍ତିକୁ ବନ୍ଧକ ରଖି ୧୦ କୋଟି ଟଙ୍କା ଯୋଗାଡ କରି ଚର୍ଚ୍ଚାକୁ ଆସିଥିଲେ।