୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଟିକସ ଫାଙ୍କିଛନ୍ତି ଅଭିନେତା ସୋନୁ ସୁଦ୍‌: ଆୟକର ବିଭାଗ

ନୂଆଦିଲ୍ଲୀ,ଏଜେନ୍ସି: ଏକାଦିକ୍ରମେ ୩ ଦିନ ଧରି ମୁମ୍ବାଇ ବାସଭବନ ତଲାସ କରିବା ପରେ ଅଭିନେତା ସୋନୁ ସୁଦ୍‌ ୨୦ କୋଟିରୁ ଅଧିକ ଟଙ୍କାର ଟିକସ ଫାଙ୍କିଥିବା କଥା ଆଜି ଏକ ବିବୃତିରେ ଆୟକର ବିଭାଗ କହିଛି। ଆୟକର ବିଭାଗ କହିଛି, ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ୍‌ (ଫରେନ୍‌ କଣ୍ଟ୍ରିବ୍ୟୁସନ୍‌ (ରେଗୁଲେସନ୍‌) ଆକ୍ଟ୍‌) ଉଲ୍ଲଂଘନ କରି ସୋନୁଙ୍କ ଲାଭ ରହିତ ସଂସ୍ଥାନ ‘ସୁଦ୍‌ ଚ୍ୟାରିଟି ଫାଉଣ୍ଡେସନ୍’ ମଧ୍ୟ ଗୋଟାଏ ‘କ୍ରାଉଡ୍‌ ଫଣ୍ଡିଂ ପ୍ଲାଟ୍‌ଫର୍ମ’ ଜରିଆରେ ଦରିଆପାରି ଦାତାଙ୍କ ଠାରୁ ୨.୧ କୋଟି ଟଙ୍କା ଯୋଗାଡ଼ କରିଛି।

ଆୟକର ବିଭାଗ ଆହୁରି ମଧ୍ୟ କହିଛି, ଅଭିନେତା ଏବଂ ତାଙ୍କ ସହଯୋଗୀମାନଙ୍କ ଘର ତଲାସ ସମୟରେ ଟିକସ ଫାଙ୍କିବା ସମ୍ବନ୍ଧୀୟ ଅପରାଧମୂଳକ ପ୍ରମାଣ ମିଳିଛି। ବିନା ବନ୍ଧକରେ ଅନେକ ଜାଲ୍‌ ସଂସ୍ଥାନରୁ ଜାଲ୍‌ ଋଣ ଭାବେ ଆସୁଥିବା ତାଙ୍କର ହିସାବ ବର୍ହିଭୂତ ଉପାର୍ଜନର ଉପାୟ ଖୋଜି ବାହାର କରିବା ଥିଲା ଆମର ଉଦ୍ଦେଶ୍ୟ। ଏ ଧରଣର ୨୦ଟି ‘ଏଣ୍ଟ୍ରି’ ହୋଇଥିବା କଥା ଏପର୍ଯ୍ୟନ୍ତ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ଜାଲିଆତିରେ ସମ୍ପୃକ୍ତ ବ୍ୟକ୍ତିମାନେ ଏହା ସ୍ୱିକାର କରିଛନ୍ତି।

ନଗଦ ଟଙ୍କା ବିନିମୟରେ ‘ଚେକ୍‌’ ଜାରି କରିଛନ୍ତି ବୋଲି ମଧ୍ୟ ସେମାନେ ମାନିଛନ୍ତି। ଟିକସ ଫାଙ୍କିବା ଉଦ୍ଦେଶ୍ୟରେ ଆକାଉଣ୍ଟରେ ଜମା ଅର୍ଥରାଶିକୁ ଋଣ ଭାବେ ଦର୍ଶାଇବାକୁ ଆବଶ୍ୟକ ରସିଦକୁ ଜାଲିଆତି କରାଯାଇଥିବା କଥା ବି ଜଣାପଡ଼ିଛି। ବିନିଯୋଗ ଏବଂ ସମ୍ପତ୍ତି ଖରିଦ କରିବା ଉଦ୍ଦେଶ୍ୟରେ ଉକ୍ତ ଜାଲ୍‌ ଋଣ ବ୍ୟବହାର କରାଯାଇଛି। ଏପର୍ଯ୍ୟନ୍ତ ଜଣାପଡ଼ିଥିବା ଟିକସ ଫାଙ୍କି ଅର୍ଥରାଶି ୨୦ କୋଟିରୁ ଅଧିକ ବୋଲି ଆୟକର ବିଭାଗ କହିଛି।