ସୋନିଆ ଓ ରାହୁଲଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ,ଏଜେନ୍ସି : କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ବୁଧବାର ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ୨୦୦୮ରେ କଂଗ୍ରେସ ଓ ଚୀନ କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ସହଯୋଗ ତଥା ସୂଚନା ଆଦାନପ୍ରଦାନ ପାଇଁ ହୋଇଥିବା ଚୁକ୍ତି ସମ୍ପର୍କରେ କଂଗ୍ରେସ ଦଳ ସବିଶେଷ ତଥ୍ୟ ପ୍ରଦାନ କରୁ ବୋଲି ଦାବି କରି ଏହି ମାମଲା ରୁଜୁ ହୋଇଛି। ଏହି ଚୁକ୍ତି ସମ୍ପର୍କରେ ଜାତୀୟ ତଦନ୍ତକାରୀ ସଂସ୍ଥା କିମ୍ବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଛନ୍ତି। ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ୧୯୬୭ ଅନୁସାରେ ଏହି ତଦନ୍ତ କରାଯାଉ ବୋଲି ସେ ନିବେଦନ କରିଛନ୍ତି।

ଏହି ଆବେଦନକାରୀମାନେ ଦର୍ଶାଇଛନ୍ତି ଯେ ଦେଶର ସୁରକ୍ଷା ସବୁଠାରୁ ଉପରେ ହୋଇଥିବାରୁ କଂଗ୍ରେସ ଦଳ ଭାରତ ପ୍ରତି ଶତ୍ରୁ ମନୋଭାବ ରଖୁଥିବା ଚୀନର ଶାସକଦଳ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା ସହ ବୁଝାମଣା କରିବା ଆଶ୍ଚର୍ଯ୍ୟର କଥା। ଉଚ୍ଚସ୍ତରୀୟ ସହଯୋଗ ଓ ସୂଚନା ଆଦାନପ୍ରଦାନ ପାଇଁ ଏହି ଏମ୍ଓୟୁ ହୋଇଥିବା କୁହାଯାଉଥିଲେ ମଧ୍ୟ କେଉଁ ପ୍ରକାରର ସୂଚନା ଦିଆନିଆ ହୋଇଛି ତାହା ଦେବବାସୀ ଜାଣିବା ଉଚିତ୍ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।