ସମ୍ବଲପୁର,ଏନ୍ଏନ୍ଏସ୍: ଆଜି ସମ୍ବଲପୁର ସହରର କଚେରୀ ଛକ ନିକଟରେ ଜଣେ ଓକିଲ ତାଙ୍କ ଶ୍ୱଶୁରଙ୍କୁ ଗାଡି ଚଢାଇ ମାରିଦେବା ଉଦ୍ୟମ କରିଛନ୍ତି। ଶ୍ୱଶୁର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଶଳା ଗୁରୁତର ଆହତ ହୋଇଛନ୍ତି । ଏହି ସମ୍ପୂର୍ଣ ଘଟଣା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଫିଲ୍ମୀ ଷ୍ଟାଇଲରେ ଘଟିଥିଲା । ଦୁର୍ଘଟଣାରେ ସମ୍ବଲପୁର ଏସପିଙ୍କ ଘର ପାଚେରୀ ମଧ୍ୟ ଭାଙ୍ଗି ଯାଇଛି । ବୁର୍ଲା ଅଞ୍ଚଳର ଜଣେ ଓକିଲ ପଞ୍ଚାନନ ଦାଶ ତାଳଚେରରେ ବିବାହ କରିଥିଲେ। ପରିବାର ମଧ୍ୟରେ ବେଳେ ବେଳେ ଝଗଡା ଲାଗି ରହୁଥିଲା। ଏହାକୁ ପଞ୍ଚାନନଙ୍କ ଶ୍ୱଶୁର ବୁର୍ଲା ଆସି ସମାଧାନ କରି ଯାଉଥିଲେ । ହେଲେ କିଛିଦିନ ତଳେ ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା। ଯାହାର ସମଧାନ କରିବା ପାଇଁ ଆଜି ପଞ୍ଚାନନଙ୍କ ଶ୍ୱଶୁର ସମ୍ବଲପୁର ଓକିଲ ସଙ୍ଘକୁ ଆସିଥିଲେ ।
ପଞ୍ଚାନନ ତାଙ୍କ ଶ୍ୱଶୁରଙ୍କୁ ଯେମିତି ଦେଖିଲେ ତାଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ହେଲେ ତାଙ୍କ ଶ୍ୱଶୁର ସାମାନ୍ୟ ଆହତ ହୋଇଥିଲେ। ଏହାକୁ ରୋକିବାକୁ ଗଲାବେଳେ ପଞ୍ଚାନନଙ୍କ ଶଳାଙ୍କୁ ମଧ୍ୟ ଗାଡି ଚଢାଇ ଦେଇ ଏସପିଙ୍କ ଘର ପାଚେରୀକୁ ଧକ୍କା ଦେଇଥିଲେ । ପାଚେରୀ ଭାଙ୍ଗି ଯାଇଥିବା ବେଳେ ପଞ୍ଚାନନଙ୍କ ଶଳାଙ୍କୁ ମଧ୍ୟ ଗାଡ଼ି ଧକ୍କାରେ ଆହତ ହୋଇଛନ୍ତି । ଏହା ସହିତ ପାଖରେ ଥିବା ଆଉ ଏକ ବାଇକ ଓ ଲୁନା ଚୁରାମର ହୋଇଯାଇଥିଲା । ଏହି ଘଟଣା ସ୍ଥାନୀୟ ଲୋକେ ଦେଖି ଉକ୍ତ ଓକିଲଙ୍କୁ ନିର୍ଧୁମ ଛେଚିବା ପରେ ପୋଲିସକୁ ହସ୍ତାନ୍ତର କରିଥିଲେ ।