ବଡମାଲ ଷ୍ଟେସନରେ ଟ୍ରେନରୁ ଖସି ଜବାନ ଗୁରୁତର

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ବଡମାଲ ରେଲୱେ ଷ୍ଟେସନରେ ଜଣେ ବିଏସ୍‌ଏଫ୍‌ ଜବାନ ଟ୍ରେନରୁ ଖସିପଡି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ରେଲୱେ ପୁଲିସ ସଇଁନ୍ତଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ସେଠାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ତାଙ୍କ ନିକଟରୁ ମିଳିଥିବା ପରିଚୟ ପତ୍ରରୁ ଜଣାପଡିଛି ଯେ, ସେ ଝାରଖଣ୍ଡ ଜିଲ୍ଲାର ନିବାସୀ ହୋଇଥିବା ବେଳେ ବିଏସ୍‌ଏଫ୍‌ ୧୦୯ ବାଟାଲିୟନ୍‌ରେ ଆସିଷ୍ଟାଣ୍ଟ ସବ୍‌ ଇନିସ୍ପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ନାମ ଜୟ ପ୍ରକାଶ କେ. ଆର୍‌ ସିଂହ ବୋଲି ଜଣାପଡିଛି। ସୂଚନା ଅନୁସାରେ ଗତକାଲି ରାତି ୧ରୁ ୨ଟା ଭିତରେ ସେ ଟ୍ରେନ୍‌ରୁ ଖସିପଡିଥିବା ବେଳେ ଆଜି ସକାଳ ୮ଟା ସମୟରେ ରେଲୱେ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।