ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ଶୀତଳ ଯାତ୍ରା…

ବରଗଡ,ଏନ୍ଏନ୍ଏସ୍: ଚୈତ୍ର ମଙ୍ଗଳବାର ଅବସରରେ ଗ୍ରାମ୍ୟଦେବୀ ମାଁ ସମଲେଇ ଦେବୀଙ୍କ ଶୀତଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୀତଳ ଯାତ୍ରା ଅବସରରେ ମାଁ’ଙ୍କ ସ୍ୱରୂପ ଲିମ୍ବ ଡାଳକୁ ସହର ପରିକ୍ରମା କରାଯାଇଥିବା ବେଳେ ଘର ସମ୍ମୁଖରେ ଭକ୍ତ ତଥା ମହିଳାମାନେ ଅପେକ୍ଷା କରି ମାଁ’ଙ୍କ ସ୍ୱରୂପ ଲିମ୍ବଡାଳକୁ ପୂଜାର୍ଚ୍ଚାନ କରିବା ସହ ନିଜ ତଥା ସମଗ୍ର ଜୀବଜଗତର ମଙ୍ଗଳ କାମନା କରିଛନ୍ତି। ପ୍ରତିବର୍ଷ ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ମାଁ’କ ଏହି ଶୀତଳ ଯାତ୍ରା ଅନୁଷ୍ଠିତ ହୋଇଥାଏ।

ଗ୍ରୀଷ୍ମ ପ୍ରବାହର ଉତ୍ତାପରୁ ପୃଥିବୀ ପୃଷ୍ଠକୁ ଶୀତଳ କରିବା ପାଇଁ ମାଁ ସମଲେଇଙ୍କ ଅନୁଷ୍ଠିତ ହୋଇଥାଏ ଶୀତଳ ଯାତ୍ରା। ଚୈତ୍ର ମଙ୍ଗଲବାର ଅବସରରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜା ପରେ ମାଁଙ୍କର ଶୀତଳ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ସ୍ୱରୂପ ନିମ୍ବ ଗଛ ଡାଳରେ ପୂଜକ ଦ୍ୱାରା ପୂଜା କରାଯାଇଥାଏ। ପରେ ପରେ ଏହି ନିମ୍ବ ଡାଳକୁ ଘଣ୍ଟ ଶଙ୍ଖ ବାଦ୍ୟର ତାଳେ ତାଳେ ନଗର ପରିକ୍ରମାରେ ନିଆଯାଇଥିଲା। ଏହି ସମୟରେ ଭକ୍ତମାନେ ନିଜ ଘର ସମ୍ମୁଖରେ ଗରିଆ, ବାଲଟିରେ କ୍ଷୀର, ପଣା, ଫୁଲ ଆଦି ରଖି ଅପେକ୍ଷା କରିଥିବା ସହ ଘଣ୍ଟ ବାଦ୍ୟର ତାଳେ ତାଳେ ଶୀତଳ ଯାତ୍ରା ଘର ସମ୍ମୁଖରେ ପହଞ୍ଚିବା ପରେ ଫୁଲ, ସିନ୍ଦୁର, ଭୋଗ ଅର୍ପଣ କରି ପୂଜା କରିଥିଲେ।

ଏହା ସହ ଘର ସମ୍ମୁଖରେ ରଖାଯାଇଥିବା ପାଣି, କ୍ଷୀର ତଥା ପଣା ଦେବୀଙ୍କ ସ୍ୱରୂପ ନିମ୍ବ ଡାଳରେ ଢ଼ାଳିବା ସହ ଏ ଅବସରରେ ନିମ୍ବ ଡାଳକୁ ଛୁଇଁ ଏବଂ ଢ଼ଳାଯାଇଥିବା ପାଣିକୁ ମୁଣ୍ଡରେ ଦେଇ ଭକ୍ତମାନେ ମାଁଙ୍କ ଆର୍ଶୀବାଦ ଭିକ୍ଷା କରିଥାନ୍ତି। ପ୍ରତିବର୍ଷ ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ଅପରାହ୍ନରୁ ବିଲମ୍ବିତ ରାତ୍ରି ପର୍ଯ୍ୟନ୍ତ ମାଁ’ଙ୍କ ଏହି ଶୀତଳ ଯାତ୍ରା ହେଉଥିବା ବେଳେ ଭକ୍ତମାନେ ବହୁ ଶ୍ରଦ୍ଧାରେ ମାଁ’ଙ୍କ ଏହି ଶୀତଳ ଯାତ୍ରାକୁ ଅପେକ୍ଷା କରିଥାନ୍ତି।

ଚୈତ୍ର ମାସରେ ଗରମର ପ୍ରାଦୁର୍ଭାବ ଯୋଗୁଁ ବସନ୍ତ, ମିଳିମିଳା ପରି ଗରମ ଜନିତ ରୋଗ ବ୍ୟାପିଥାଏ। ବହୁ ବର୍ଷ ପୂର୍ବେ ଏହି ରୋଗରେ ଚାରି ଆଡେ ହଜାର ହଜାର ଲୋକ ଆକ୍ରାନ୍ତ ହେଉଥିଲେ। ସେ ସମୟରେ କୌଣସି ପ୍ରକାର ଚିକିତ୍ସା ବ୍ୟବସ୍ଥା ନଥିବା ବେଳେ ଲୋକଙ୍କ ଧାରଣା ଥିଲା ଯେ ଦେବୀଙ୍କ ପ୍ରକୋପରେ ଏହି ରୋଗ ଦେଖାଯାଏ। ସେଥିପାଇଁ ଲୋକମାନେ ମାଁ’ଙ୍କ ଶରଣାଗତ ହୋଇ ଧରାପୃଷ୍ଠକୁ ଶୀତଳିକରଣ କରିବା ସହ ରୋଗ ପ୍ରକୋପରୁ ମୁକ୍ତି ପାଇବା ପାଇଁ ଏହି ଶୀତଳ ଯାତ୍ରା କରୁଥିବାର ବିଶ୍ୱାସ ରହିଛି। ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ଏହି ଶୀତଳ ଯାତ୍ରା ଅନୁଷ୍ଠିତ ହେବା ସହ ସହରର ପ୍ରତ୍ୟେକ ପଡା ତଥା ରାସ୍ତା ଦେଇ ଏହି ଯାତ୍ରା ଯାଇଥାଏ ଏବଂ ରାସ୍ତାରେ ଥିବା ସମସ୍ତ ହନୁମାନ ମନ୍ଦିରରେ ଏହି ଯାତ୍ରା ଅଟକିବା ସହ ସେଠାରେ ପୂଜାର୍ଚ୍ଚନା କରାଯାଇଥାଏ।

ବିଳମ୍ବିତ ରାତ୍ରରେ ଏହି ଶୀତଳଯାତ୍ରା ମନ୍ଦିରକୁ ଫେରିବା ସହ ଉକ୍ତ ନିମ୍ବ ଡାଳକୁ ଏକ ଦ୍ୱିବାଟରେ ଛାଡି ଦିଆଯାଇଥାଏ। କାରଣ ସହର ସାରା ପରିକ୍ରମା କରି ସମସ୍ତ ରୋଗ ବୈରାଗ୍ୟ ମା’ଙ୍କ ସ୍ୱରୂପ ଏହି ନିମ୍ବ ଡାଳ ଦ୍ୱାରା ଆସି ଏହି ଦ୍ୱିବାଟରେ ଆଉ ଆଗକୁ ଯାଇ ପାରି ନଥାଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି। ଏହି ବିଶ୍ୱାସକୁ ନେଇ ପ୍ରତିବର୍ଷ ଚୈତ୍ର ମାସରେ ବରଗଡ଼ ସମଲେଇ ମନ୍ଦିରରେ ମାଁ’ଙ୍କ ଏହି ଶୀତଳ ଯାତ୍ରା ଅନୁଷ୍ଠିତ ହୋଇଥାଏ।