ବିଜେପି କର୍ମୀଙ୍କୁ ପିଟିପିଟି ହତ୍ୟା ମାମଲାରେ ଦୁଇ ଚାଷୀ ଗିରଫ

ଲକ୍ଷ୍ନୌ,ଏଜେନ୍ସି: ଲଖିମପୁର ଖେରୀ ହିଂସାକାଣ୍ଡ ମାମଲା। ହିଂସାକାଣ୍ଡ ସ୍ଥଳରେ ତିନି ବିଜେପି କର୍ମୀଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗରେ ଦୁଇ ଚାଷୀ ଗିରଫ। ଶନିବାର ସ୍ବତନ୍ତ୍ର ତଦନ୍ତକାରୀ ଦଳ(SIT) ଦୁଇ ଚାଷୀଙ୍କୁ ଗିରଫ କରିଛି। ସେମାନେ ହେଲେ କମଲଜିତ୍ ସିଂ(୨୯) ଏବଂ କୱଲଜିତ୍ ସିଂ ସୋନୁ(୩୫)।

ଗତ ଦୁଇ ମାସ ହେଲା ଉଭୟ ଅଭିଯୁକ୍ତ ପୋଲିସ ଠାରୁ ଲୁଚି ବୁଲୁଥିଲେ। ନିକଟରେ ଖେରୀ ହିଂସା ମାମଲାରେ କିଛି ସନ୍ଦିଗ୍ଧଙ୍କ ଫଟୋ ଜାରି କରିଥିଲା SIT। ଯାହମଧ୍ୟରେ ସମ୍ପୃକ୍ତ ଦୁଇ ଚାଷୀ ରହିଥିଲେ। ଶନିବାର ଦୁହିଁଙ୍କ ଗିରଫଦାରୀ ପରେ ଏବେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଯିବ ଏବଂ ତଦନ୍ତକାରୀ ଅଧିକାରୀଙ୍କ ପକ୍ଷରୁ ସେମାନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରାଯିବ। ବିଜେପି କର୍ମୀଙ୍କୁ ପିଟି ପିଟି ହତ୍ୟା ମାମଲାରେ ଏ ପର୍ଯ୍ୟନ୍ତ ୬ ଜଣ କୃଷକଙ୍କୁ ଗିରଫ କରିଛି ତଦନ୍ତକାରୀ ଟିମ୍। ଏଥିସହ କୃଷକଙ୍କୁ ଗାଡି ମଡାଇବା ଘଟଣାରେ ଗିରଫ ବିଜେପି ନେତା ସୁମିତ୍ ଜୈସୱାଲ କିଛି ଅଜ୍ଞାତ ଚାଷୀଙ୍କ ବିରୁଦ୍ଧରେ କରିଥିବା ହିଂସାକାଣ୍ଡ ଅଭିଯୋଗ ଆଧାରରେ ସମ୍ପୃକ୍ତ ଚାଷୀଙ୍କ ବିରୁଦ୍ଧରେ ମଧ୍ୟ ହିଂସା ଏବଂ ହତ୍ୟା ଚାର୍ଜ ଲଗାଯାଇଛି।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୩ରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି ଚକା ତଳେ ଦାବି ହୋଇ ଆନ୍ଦୋଳନରତ ୪ ଜଣ ଚାଷୀଙ୍କ ସମେତ ୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ପ୍ରାଣ ମଧ୍ୟ ଯାଇଥିଲା। ଏହି ମାମଲାରେ SIT ଏପର୍ଯ୍ୟନ୍ତ ଆଶିଷ ମିଶ୍ର, ଲଭକୁଶ, ଆଶିଷ ପାଣ୍ଡେ, ଶେଖର ଭାରତୀ, ଅଙ୍କିତ ଦାସ, ଲତିଫ, ଶିଶୁପାଳ, ନନ୍ଦନ ସିଂହ, ସତ୍ୟମ୍ ତ୍ରିପାଠୀ, ସୁମିତ ଜୈସୱାଲ, ଧର୍ମେନ୍ଦ୍ର ବଞ୍ଜାରା, ରିଙ୍କୁ ରାଣା ଏବଂ ଉଲ୍ଲାସ ତ୍ରିବେଦୀଙ୍କୁ ଗିରଫ କରିଛି। ସେପଟେ ବିଜେପି କର୍ମୀଙ୍କୁ ହତ୍ୟା ମାମଲାରେ ମଧ୍ୟ ଧରପଗଡ୍ ଲାଗି ରହିଛି।