ଶିଖରଙ୍କ ସମସ୍ତ ଅଭିଯୋଗକୁ ଗ୍ରହଣ କରି କୋର୍ଟ ମଞ୍ଜୁର କଲେ ଛାଡ଼ପତ୍ର

ନୂଆଦିଲ୍ଲୀ: ଦିଲ୍ଲୀର ପଟିୟାଲା ହାଉସ ପରିସରରେ ଥିବା ଫ୍ୟାମିଲି କୋର୍ଟ ଭାରତୀୟ କ୍ରିକେଟ ଟିମର ଷ୍ଟାର ଖେଳାଳି ଶିଖର ଧୱନ ଓ ତାଙ୍କ ପତ୍ନୀ ଆୟଶା ମୁଖାର୍ଜୀଙ୍କ ଛାଡ଼ପତ୍ରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଶିଖରଙ୍କ ସହ ଆୟଶା ମାନସିକ କ୍ରୁରତା କରିଥିବା କଥା ମଧ୍ୟ କୋର୍ଟ ଗ୍ରହଣ କରିଛନ୍ତି । ଫ୍ୟାମିଲି କୋର୍ଟ ଜଜ୍ ହରିଶ କୁମାର ଶିଖରଙ୍କ ଦ୍ୱାରା ତାଙ୍କ ପତ୍ନୀ ଉପରେ ଲଗାଯାଇଥିବା ସମସ୍ତ ଆରୋପକୁ ସ୍ୱୀକାର କରିଛନ୍ତି । ଛାଡ଼ପତ୍ର ହୋଇଯାଇଥିଲେ ସୁଦ୍ଧା ପୁଅର କଷ୍ଟୋଡୀକୁ ନେଇ କୋର୍ଟ କୌଣସି ଫଇସଲା ନେଇ ନାହାନ୍ତି ।

ଜଜ ହରିଶ କୁମାର କହିଛନ୍ତି ଯେ, ଅଭିଯୋଗକାରୀ ଜଣେ ସୁପ୍ରିଦ୍ଧ କ୍ରିକେଟର ସହ ଦେଶ ପାଇଁ ଗୌରବ । ଆୟଶା ମୁଖାର୍ଜୀ ନିଜ ଉପରେ ଲାଗିଥିବା ସମସ୍ତ ଆରୋପକୁ ବିରୋଧ କରିବାରେ ବିଫଳ ରହିଥିଲେ । ପୁଅକୁ ଶିଖରଙ୍କଠାରୁ ୧୦ ବର୍ଷ ଦୂରେଇ ରଖି ଆୟଶା ତାଙ୍କୁ ମାନସିକ ଭାବେ ପ୍ରତାଡ଼ିତ କରିଛନ୍ତି । ଯଦି ଶିଖର ପୁଅର କଷ୍ଟୋଡୀ ପାଇଁ ଭାରତ ସରକାରଙ୍କୁ ସାହଯ୍ୟ ମାଗନ୍ତି ତେବେ ଅଷ୍ଟ୍ରେଲିଆ ସରକାରଙ୍କ ସହ କଥା ହୋଇ କଷ୍ଟୋଡୀ କିମ୍ବା ସାକ୍ଷାତ ଅଧିକାର ଉପରେ ଚେଷ୍ଟା କରାଯିବା ଉଚିତ ।

ସୂଚନାଯୋଗ୍ୟ, ଆୟଶା ମୁଖାର୍ଜୀଙ୍କର ପ୍ରଥମ ବିବାହରୁ ୨ଜଣ ଝିଅ ଅଛନ୍ତି । ଆୟଶା ତାଙ୍କ ୨ ଝିଅଙ୍କ ସହ ଅଷ୍ଟ୍ରେଲିଆରେ ରହିବେ ବୋଲି ପୂର୍ବ ସ୍ୱାମୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଆଉ ଶିଖରଙ୍କୁ ଭାରତରେ ରହିବେ ବୋଲି କହିଥିଲେ । କୋର୍ଟରେ ଶିଖର ଏହି କଥାକୁ ମାନସିକ ଉତ୍ପୀଡ଼ନ ବୋଲି ପ୍ରମାଣ କରିଥିଲେ । ଏହାବ୍ୟତୀତ ଆୟଶାଙ୍କ ଉପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସଦସ୍ୟ ଓ ସାଥୀ ଖେଳାଳିଙ୍କୁ ଅପମାନଜନକ ମେସେଜ ପଠାଇଥିବା ଆରୋପ ଲାଗିଥିଲା ଯାହାକି ଯାଞ୍ଚ ପରେ ସତ ପ୍ରମାଣିତ ହୋଇଛି । ଆୟଶା ଯେତେବେଳେ ଶିଖରଙ୍କ ପୁଅକୁ ଧରି ଭାରତ ଆସିଥିଲେ ସେତେବେଳେ ପୂର୍ବ ସ୍ୱାମୀଙ୍କ ଝିଅଙ୍କ ଲାଗି ୧୦ ଲକ୍ଷ ଟଙ୍କା ଦେବାକୁ ବାଧ୍ୟ କରାଇଥିଲେ । କେବଳ ଏତିକି ନୁହେଁ, ଆୟଶା ଅଷ୍ଟ୍ରେଲିଆରେ ରହି ଶିଖରଙ୍କ ୩ ସମ୍ପତ୍ତିରୁ ୯୯ ପ୍ରତିଶତ ମାଲିକାନା ଅଧିକାର ହାସଲ କରିଥିଲେ ଏବଂ ଅନ୍ୟ ୨ ସମ୍ପତ୍ତିରେ ମଧ୍ୟ ମିଳିତ ମାଲିକ ହୋଇଥିଲେ । କରୋନା ସମୟରେ ଶିଖରଙ୍କୁ ତାଙ୍କ ପିତାଙ୍କ ସହ ଭେଟିବାକୁ ଦେଉନଥିବାରୁ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।