ସିଂଘୁ ସୀମାରେ ଦଳିତ ଯୁବକଙ୍କୁ ହତ୍ୟା ନେଇ ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,ଏଜେନ୍ସି: ସିଂଘୁ ସୀମାରେ ଦଳିତ ଯୁବକ ଲଖବୀ ସିଂହଙ୍କ ହତ୍ୟା ଓ ପୁଣି ଶବ ସହିତ ବର୍ବତରା କରାଯାଇଥିବା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ମାମଲା‌ ନେଇ ଏବେ ସିଂଘୁ ସୀମା ଖାଲି କରିବାକୁ ଦାବି କରାଯାଉଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ ୩ କୃଷି ଆଇନକୁ ବିରୋଧ କରି ଗତ ବର୍ଷ ଠାରୁ ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶର ଚାଷୀ ମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ କରୁଛନ୍ତି। ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ଲଖବୀର ସିଂହଙ୍କ ହତ୍ୟା ଘଟଣାରେ ଓକିଲ ଶଶାଙ୍କ ଶେଖର ଝା ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ସେ ଶୁକ୍ରବାର ସନ୍ଧ୍ୟାରେ ସୁପ୍ରିମକୋର୍ଟରେ ଆବେଦନ କରି ମାମଲାର ଖୁବ ଶୀଘ୍ର ସମାଧାନ ଦାବି କରିଛନ୍ତି। ଏଥି ସହିତ ଆବେଦନରେ ଓକିଲ ଦାବି କରିଛନ୍ତି ଯେ, ସିଂଘୁ ସୀମାକୁ ଖୁବ ଶୀଘ୍ର ଖାଲି କରାଯାଉ। ସୂଚନାଯୋଗ୍ୟ, ଚାଷୀ ଆନ୍ଦୋଳନର ମଞ୍ଚ ପାଖରେ ଦଳିତ ବ୍ୟକ୍ତି ଲଖବୀର ସିଂହଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ପଞ୍ଜାବର ତରନ-ତାରନ ଜିଲ୍ଲା ନିବାସୀ ଥିଲେ। ତାଙ୍କର ୩ ଝିଅ ଅଛନ୍ତି, ଯେଉଁମାନେ କି ମା’ ସହିତ ରହୁଛନ୍ତି।

ଚାଷୀ ଆନ୍ଦୋଳନ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପୂର୍ବରୁ ଶୁଣାଣୀ ହୋଇସାରିଛି। ଚଳିତ ମାସରେ ଆରମ୍ଭରେ ଦିଲ୍ଲୀର ଚାଷୀ ସଂପର୍କିତ କିଷାନ ମହାପଂଚାୟତ ନାମର ସଂଗଠନ ଦ୍ବାରା ଅଣାଯାଇଥିବା ଅଭିଯୋଗର ଶୁଣାଣୀ ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ, ଆପଣ ଟ୍ରେନ ଅଟକାଉଛନ୍ତି, ଜାତୀୟ ରାଜପଥ ଅବରୋଧ କରୁଛନ୍ତି।