କୁଆଁପାଳ,ଏନ୍ଏନ୍ଏସ୍: ବିଜେପି ନେତା ଶାରଦା ପ୍ରଧାନଙ୍କ ଆହ୍ୱାନକ୍ରମେ ୩ ଦଫା ଦାବିକୁ ନେଇ ବିଜେପି ଆଜି ମାହାଙ୍ଗା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏଠାରେ ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୨ ତାରିଖରେ ଲଗାଣ ବର୍ଷା ଯୋଗୁଁ ମାହାଙ୍ଗା ଅଞ୍ଚଳର ହଜାର ହଜାର ହେକ୍ଟର ଚାଷ ଜମିରେ ଧାନ ଫସଲ ନଷ୍ଟ ହୋଇଥିଲା। ୯୮ ଭାଗ ଚାଷ ଜମିରେ ଧାନ ଫସଲ ନଷ୍ଟ ହୋଇଥିଲେ ମଧ୍ୟ ପ୍ରଶାସନ ପଦକ୍ଷେପ ନେବାରେ ବିଫଳ ହୋଇଛି। ଏପରିକି ପ୍ରବଳ ବର୍ଷାରେ ଅନେକ ଲୋକଙ୍କର ଚାଳ ଛପର ଘର ଭାଙ୍ଗି ଯାଇଥିଲେ ମଧ୍ୟ ଜରିପାଲ ପ୍ରଦାନ କରାଯାଇନାହିଁ। ଏଥିସହ ଚୁଡା, ଚିନି, ଗୁଡ ଏପରିକି ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି।
ବିଜେପି ତରଫରୁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ଏକର ପ୍ରତି ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ, ଲଗାଣ ବର୍ଷାରେ ଭାଙ୍ଗି ଯାଇଥିବା ସମସ୍ତ କଚ୍ଚା ଘରକୁ ପକ୍କା ଘର କରିବା ନିମନ୍ତେ ସହାୟତା ରାଶି ପ୍ରଦାନ ଏବଂ ଗୋଦାବରୀକୁ ନଦୀର ମାନ୍ୟତା ପ୍ରଦାନ କରିବା ଆଦି ଦାବିକୁ ନେଇ ହଜାର ହଜାର ବିଜେପି କର୍ମୀ ଓ ସମର୍ଥକଙ୍କ ଗହଣରେ ବିଜେପି ନେତା ଶାରଦା ପ୍ରଧାନ ଏକ ବିଶାଳ ଶୋଭାଯାତ୍ରାରେ ଆସି ମାହାଙ୍ଗା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଉଦ୍ବୋଧନ ଦେଇ କହିଥିଲେ ଯେ ମାହାଙ୍ଗାରେ ଦୁର୍ନୀତି ପାଇଁ ଅପାରଗ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଦାୟୀ। ମାହାଙ୍ଗାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ପ୍ରଶାସନ ଶାସକ ଦଳର କଥାରେ ପରିଚାଳିତ ହେଉଛି। କୃଷକ, ଗରିବ, ଅସହାୟ ସର୍ବୋପରି ମାହାଙ୍ଗା ଅଞ୍ଚଳର ବିକାଶ ପାଇଁ ବିଜେପି ସଂଗ୍ରାମ ଜାରି ରଖିବ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା, ରାଜ୍ୟ କୃଷକ ମୋର୍ଚ୍ଚାର ଉପସଭାପତି ଦୁର୍ଯ୍ୟୋଧନ ସାହୁ, ଜିଲ୍ଲା ମହିଳା ସଭାପତି ଯାଜ୍ଞସେନୀ ଜେନା, ଉପସଭାପତି ମନୋରଞ୍ଜନ ନାୟକ, ମଣ୍ଡଳ ସଭାପତି ଭକ୍ତ ଚରଣ ସ୍ୱାଇଁ, ନିର୍ମଳ କୁମାର ରାଉତ, ଋଷି କୁମାର ରାଉତ, ଅରୁଣ କୁମାର ସେଠୀ, ଅକ୍ଷୟ ଗୋଚ୍ଛାୟତ, ପବିତ୍ର ପରିଡା, ବିଶ୍ୱନାଥ ଜେନା, ଗୌତମ ଶତପଥୀ, ଉମେଶ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ମାହାଙ୍ଗା ତହସିଲଦାରଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା।