ହାଇକୋର୍ଟ ଜଜଙ୍କ ନେତୃତ୍ୱରେ ହେବ ଗାୟକ ସିଦ୍ଧୁ ମୁସେବାଲାଙ୍କ ହତ୍ୟା ଘଟଣାର ତଦନ୍ତ

ନୂଆଦିଲ୍ଲୀ: ପଞ୍ଜାବର ସୁପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେବାଲାଙ୍କ ହତ୍ୟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ବଡ଼ ପଦକ୍ଷେପ ନେଇଛନ୍ତି । ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଜଜଙ୍କ ନେତୃତ୍ୱରେ ସିଦ୍ଧୁ ହତ୍ୟାକାଣ୍ଡର ଯାଞ୍ଚ ପାଇଁ ନ୍ୟାୟିକ ଆୟୋଗ ଗଠନ କରାଯାଇଛି । ଏହି ଜଘନ୍ୟ କାଣ୍ଡ ଭିଆଇଥିବା ଅଭିଯୁକ୍ତ ଯଥାଶୀଘ୍ର ଜେଲ ଯିବ ବୋଲି ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଭରଷା ଦେଇଛନ୍ତି । ଏଥିସହିତ ସିଦ୍ଧୁ ସିକ୍ୟୁରିଟି କମ୍ କରିବା ନିଷ୍ପତ୍ତିକୁ ମଧ୍ୟ ଯାଞ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି ।

ଉକ୍ତ ମାମଲାରେ ଏସଟିଏଫ୍ ଓ ପଞ୍ଜାବ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତକୁ ସିମଲା-ବାଇପାସ୍ ନୟା ଗାଁବ ଚୌକୀ ଅଞ୍ଚଳରୁ ଧରାଯାଇଛି । ଅଭିଯୁକ୍ତ ତା’ ସହଯୋଗୀ ସହ ହିମକୁଣ୍ଡ ଯାତ୍ରାରେ ବାହାରିଥିଲା ବୋଲି ସୂଚନା ମିଳିଛି ।