ଆଜି ଶପଥ ନେବେ ସିଦ୍ଧରମୈୟା ଓ ଶିବକୁମାର, ଛିଣ୍ଡୁନି ମନ୍ତ୍ରୀମଣ୍ଡଳ ଅଙ୍କ

ବେଙ୍ଗାଲୁର: ଆଜିଠୁ ପୁଣି କର୍ଣ୍ଣାଟକରେ ଆରମ୍ଭ ହେବ ସିଦ୍ଧରମୈୟା ରାଜ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା ଓ ଶିବକୁମାର । ଏଥିପାଇଁ ବେଙ୍ଗାଲୁରୁର କନ୍ତିରବା ଷ୍ଟାଡିୟମରେ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ରାଜ୍ୟପାଳ ଥାୱରଚନ୍ଦ ଗେହଲଟ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ସେପଟେ ମନ୍ତ୍ରୀମଣ୍ଡଳ ଗଠନ ନେଇ ଛିଣ୍ଡୁନି ଅଙ୍କ । ମାଳ ମାଳ ଆଶାୟୀ ଥିବାବେଳେ କାହାକୁ ମନ୍ତ୍ରୀମଣ୍ଡଳରେ ମିଳିବ ସ୍ଥାନ । ସେ ଚିନ୍ତା ଏବେ ଦଳକୁ ଘାରିଛି ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଜିତି କଂଗ୍ରେସ ଏବେ ଜୋଶରେ ଅଛି । ଦଳ ଆଗାମୀ ସମସ୍ତ ନିର୍ବାଚନ ଜିତିବାକୁ ଦମ୍ଭୋକ୍ତି ଦେଖାଉଛି । କର୍ଣ୍ଣାଟକ ଫଳାଫଳ ପଲ୍ଲୀରୁ ଦିଲ୍ଲୀ ଯାଏଁ କଂଗ୍ରେସ ନେତା କର୍ମୀଙ୍କ ମନରେ ସଞ୍ଜିବନୀ ଦେଇଛି । କିନ୍ତୁ କର୍ଣ୍ଣାଟକ କିଙ୍ଗ ହେବା ସତ୍ତ୍ବେ କଂଗ୍ରେସରେ ସମସ୍ୟା । କର୍ଣ୍ଣାଟକକୁ ନେଇ କଂଗ୍ରେସ ଆଗରେ ଆହୁରି ସଂକଟ ରହିଛି । ଏଯାଏଁ ଟଳିନି କଂଗ୍ରେସର କର୍ଣ୍ଣାଟକ ସଂକଟ ।
ଦଳ କୌଣସି ମତେ ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ଚୟନ କରିଦେଲା । କିନ୍ତୁ ପୁରା ମନ୍ତ୍ରୀମଣ୍ଡଳ ଗଠନକୁ ନେଇ ଏବେ ଦଳ ପାଖରେ ବଡ ଆହ୍ବାନ ରହିଛି । ମନ୍ତ୍ରୀ ମଣ୍ଡଳର ସ୍ବରୂପ କଣ ହେବ ? କେତେ ମନ୍ତ୍ରୀ ହେବେ ? କାହାକୁ କେଉଁ ବିଭାଗ ମିଳିବ ? ମନ୍ତ୍ରୀ ମଣ୍ଡଳରେ ବିଧାୟକ କେତେ ଏମଏଲସି କେତେ ରହିବେ ? କଂଗ୍ରେସର ବିଜୟୀ ହୋଇଥିବା 135 ବିଧାୟକଙ୍କ ସମେତ ଏମଏଲସି ମଧ୍ୟ ମନ୍ତ୍ରୀ ହେବାକୁ ଆଶାୟୀ ଅଛନ୍ତି । ଏମିତି 60 ଜଣ ବିଧାୟକ ଓ ବିଧାନ ପରିଷଦ ସଦସ୍ୟ ଅଛନ୍ତି ଯେଉଁମାନେ ମନ୍ତ୍ରୀ ହେବାକୁ ଦାବିଦାର । ବର୍ତ୍ତମାନ 40 ଜଣ ଏଭଳି ବିଧାୟକ ଓ ବିଧାନ ପରିଷଦ ସଦସ୍ୟ ଅଛନ୍ତି ଯେଉଁମାନେ ଉଭୟ କଂଗ୍ରେସ ଓ ବିଜେପି ସରକାରରେ ମନ୍ତ୍ରୀ ରହିସାରିଛନ୍ତି ।