ଛତିଶଗଡ଼ ପରେ ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍‌

ଭୁବନେଶ୍ୱର,ସମ୍ବଲପୁର,ଏନ୍‌ଏନ୍‌ଏସ୍‌: ମହାନଦୀ ଏବେ ଶୁଷ୍କ । ଜଳ ଶୂନ୍ । ଉପରମୁଣ୍ଡରେ ଛତିଶଗଡ଼ର ଦୌରାତ୍ମ୍ୟ ଜାରି ରହିଛି । ଓଡ଼ିଶା ଯେତେ କହିଲେ ବି ଶୁଣୁନାହିଁ । ବିବାଦ ଥମିବାର ନାଁ ଧରୁନି । କେବେ ସମାଧାନ ହେବ ଜଣାପଡ଼ୁନାହିଁ । ଏଥିପାଇଁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ସଦସ୍ୟମାନେ ଛତିଶଗଡ଼ ପରେ ଓଡ଼ିଶା ଗସ୍ତ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନରେ ହୀରାକୁଦ ବୁଲିବ ଟ୍ରିବ୍ୟୁନାଲ ଟିମ୍ । ଏହି ଗସ୍ତର ଅବଧି ୧୦ ଦିନ ରହିଛି ।
ଶୁକ୍ରବାର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର କିଛି ସଦସ୍ୟ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଛନ୍ତି । ସେଠାରୁ ସେମାନେ ସିଧାସଳଖ ଆସି ସମ୍ବଲପରରେ ମା’ ସମଲେଇଙ୍କୁ ଦର୍ଶନ କରଛନ୍ତି । ବାକି ସଦସ୍ୟମାନେ ଶନିବାର ସମ୍ବଲପୁର ପହଞ୍ଚି ହୀରାକୁଦ ଡ୍ୟାମ୍ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ହୀରାକୂଦ ଯିବା ପୂର୍ବରୁ ଅଶୋକ ନିବାସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ ।
ସୂଚନାମୁତାବକ ଆସନ୍ତା ମଇ ୨୩ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ଟିମ୍ ହୀରାକୁଦ ଡ୍ୟାମ୍ ଓ ମହାନଦୀ ଆୟକଟ୍ ଅଞ୍ଚଳ ବୁଲି ଦେଖିବେ ଏବଂ ୨୪ରେ ଭୁବନେଶ୍ୱର ଆସିବେ । ୨୫ରେ ବିଶ୍ରାମ ନେବା ପରେ ୨୬ରୁ ୨୮ ପର୍ଯ୍ୟନ୍ତ ତିନି ଦିନ କଟକସ୍ଥିତ ନରାଜ, ମୁଣ୍ଡୁଳୀ, ଅଂଶୁପା ଓ ଏବଂ ପୁରୀ-ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ପରିବ୍ୟାପ୍ତ ଚିଲିକା ହ୍ରଦ ବୁଲି ଦେଖିବେ । ଟ୍ରିବ୍ୟୁନାଲ ସଦସ୍ୟାମାନେ ଫେରି ରିପୋର୍ଟ ଦେବେ । ଉକ୍ତ ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।
ଉଲ୍ଲେଖନୀୟ ଯେ, ରାଜ୍ୟ ରାଜ୍ୟ ମଧ୍ୟରେ ଜଳ ବିବାଦ ସମାଧାନ ପାଇଁ ପ୍ରଣୟନ ହୋଇଥିବା ଆନ୍ତଃରାଜ୍ୟ ଜଳ ବିବାଦ ଆଇନ-୧୯୫୬ର ଧାରା-୩ରେ ଅନୁସାରେ ଟ୍ରିବ୍ୟୁନାଲ ଗଠନ ବ୍ୟବସ୍ଥା ରହିଛି । ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଗୋଟିଏ ଏବଂ ବଂଶଧାରା ଜଳ ବଣ୍ଟନ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସହ ଦୁଇଟି ଜଳବିବାଦ ରହିଛି । ବଂଶଧାରା ଜଳ ବିବାଦର ସମାଧାନ ପାଇଁ ୨୪ ଫେବ୍ରୁଆରୀ ୨୦୧୦ରେ ଗଠିତ ଟ୍ରିବ୍ୟୁନାଲ ୧୩ ସେପ୍ଟେମ୍ବର ୨୦୧୭ରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ୨୩ ସେପ୍ଟେମ୍ବର ୨୦୧୯ରେ ତାର ଆଦେଶ ଓ ୨୧ ଜୁନ୍ ୨୦୨୧ରେ ଚୂଡ଼ାନ୍ତ ରାୟର ପରବର୍ତ୍ତୀ ଏକ ରାୟ ପ୍ରକାଶ କରାଯାଇଥିଲା । ରାୟରେ ଟ୍ରିବ୍ୟୁନାଲ ନେରେଡ଼ି ଠାରେ ଆନିକଟ ନିର୍ମାଣ କରିବାକୁ ଆନ୍ଧ୍ର ପ୍ରଦେଶକୁ ଅନୁମତି ଦେଇଥିଲେ । ଆନ୍ଧ୍ରପ୍ରଦେଶ ପ୍ରତିବର୍ଷ ଜୁନ୍ ପହିଲାରୁ ନଭେମ୍ବର ୩୦ ମଧ୍ୟରେ ୮ ହଜାର କ୍ୟୁସେକ୍ ଜଳ ନେବ ବୋଲି ରାୟରେ କୁହାଯାଇଥିଲା । ଟ୍ରିବ୍ୟୁନାଲଙ୍କ ଉପରୋକ୍ତ ରାୟକୁ ବିରୋଧ କରି ଓଡ଼ିଶା ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଲିଭ୍ ପିଟିସନ୍ (ଏସ୍‌ଏଲ୍‌ପି) ଦାଖଲ କରିଛି । ବର୍ତ୍ତମାନ ବିଚାରାଧୀନ ରହିଛି । ଏହି କାରଣରୁ କେନ୍ଦ୍ର ସରକାର ଟ୍ରିବ୍ୟୁନାଲଙ୍କ ରାୟକୁ କାର୍ଯ୍ୟକାରୀ କରିବା ପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି କରିନାହାନ୍ତି ।