ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର, ସବୁ ଜିଲ୍ଲାର ଭକ୍ତ କରିପାରିବେ ଦର୍ଶନ

ପୁରୀ,ଏନ୍ଏନ୍ଏସ୍: ଆଜିଠୁ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିଲା ଶ୍ରୀମନ୍ଦିର। ୯ ମାସ ବ୍ୟବଧାନ ପରେ କାଳିଆ ସାଆନ୍ତକୁ ଦର୍ଶନ କରିବେ ଭକ୍ତ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି। ସ୍ୱତନ୍ତ୍ର ଏସଓପି ଓ କୋଭିଡ କଟକଣା ଅନୁଯାୟୀ ଦର୍ଶନ କରିବେ ଶ୍ରଦ୍ଧାଳୁ। ରାଜ୍ୟ ଏବଂ ରାଜ୍ୟ ବାହାରର ଭକ୍ତମାନେ ସର୍ବାଧିକ ୪ ଦିନ ପୂର୍ବର କୋଭିଡ ନେଗେଟିଭ ସାର୍ଟିଫିକେଟ ଆଣି ଦର୍ଶନ କରିପାରିବେ। ଏହାଛଡା ମାର୍କେଟ ଛକଠାରୁ ହୋଇଥିବା ସ୍ୱତନ୍ତ୍ର ବ୍ୟାରିକେଡ ଯୋଗେ ସିଂହଦ୍ୱାରକୁ ଆସିବା ପରେ ଭକ୍ତମାନଙ୍କର ଫଟୋ ଉଠିବା ସହ ହାତକୁ ସାନିଟାଇଜ କରାଯିବ। ଏହା ପରେ ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ।

ପୂର୍ବରୁ ସେବାୟତଙ୍କ ପରିବାର ଓ ପୁରୀ ବାସୀ ପର୍ଯ୍ୟାୟ କ୍ରମେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। କରୋନା ମହାମାରୀ ପାଇଁ ଗତ ବର୍ଷ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିର ବନ୍ଦ ରହିଥିଲା। ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରଖାଯାଇଥିଲା। ତେବେ ଶ୍ରୀମନ୍ଦିରରେ କୋଭିଡ କଟକଣା ମଧ୍ୟରେ ଶ୍ରୀଜିଉଙ୍କ ନୀତିକାନ୍ତି ଚାଲିଥିଲା। ଏବେ ସ୍ଥିତି ସ୍ୱାଭାବିକ ହେବାରୁ ଡିସେମ୍ବର ୨୩ରୁ ପୁନର୍ବାର ଦର୍ଶନ ଆରମ୍ଭ ହୋଇଛି।