କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ବାଲିମେଳା ସହରର ଦୈନିକ ବଜାରରେ ମଙ୍ଗଳବାର ରାତିରେ ଏକ ଦୋକାନରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁ ନିଆଁ ଲାଗିଛି। ଫଳରେ ଉକ୍ତ ଦୋକାନରେ ଥିବା ସିଲାଇ ମେସିନ, ବହୁ ପେଣ୍ଟ, ସାର୍ଟ ଓ କପଡ଼ା ସମେତ ଉକ୍ତ ଦୋକାନରେ ରଖି ବିକ୍ରି କରୁଥିବା ବହୁ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ମିଳିଥିବା ରିପୋର୍ଟ ମୁତାବିକ, ଦୋକାନ ମାଲିକ ମହମ୍ମଦ କୁତୁବୁଦ୍ଦିନ ଓ ତାଙ୍କ ସ୍ତ୍ରୀ ଆସିୟା ବେଗମ ଗତକାଲି ରାତିରେ ଦୋକାନ ବନ୍ଦ କରି ଡ୍ରାଇଭର ଲାଇନରେ ଥିବା ନିଜ ଘରକୁ ଯାଇଥିଲେ। ଆଜି ଭୋରରୁ ସ୍ଥାନୀୟ ଲୋକମାନେ ଉକ୍ତ ଦୋକାନରେ ନିଆଁ ଲାଗିଥିବା ଦେଖି ଦୋକାନ ମାଲିକଙ୍କୁ ଏନେଇ ଜଣାଇବା ସହ ତୁରନ୍ତ ନିଆଁକୁ ପାଣି ଢାଳି ଲିଭାଇବାରେ ସକ୍ଷମ ହୋଇଥିଲେ। ଏସମ୍ପର୍କରେ ଖବର ପାଇ ବାଲିମେଳା ଆରଆଇ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିଲେ। ତେବେ କ୍ଷତିଗ୍ରସ୍ତ ହୋଇଥିବା ଦୋକାନୀ ଓ ତାଙ୍କ ପରିବାର ପୁନର୍ବାର ବ୍ୟବସାୟ ଆରମ୍ଭ କରିବା ନିମନ୍ତେ ବାଲିମେଳା ବଣିକ ସଂଘ ପକ୍ଷରୁ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ଜଣେ ଗରିବ ବ୍ୟବସାୟୀଙ୍କୁ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।