ପାର୍ଟି ମୋ ଇସ୍ତଫାକୁ ଏପରି ବିରୋଧ କରିବ ବୋଲି ମୁଁ ଆଦୌ ଭାବି ନଥିଲି: ଶରଦ ପାୱାର

ନୂଆଦିଲ୍ଲୀ: ପାର୍ଟି ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଦୃଢ଼ ବିରୋଧ ପରେ ଏନସିପି ଅଧ୍ୟକ୍ଷ ପଦରୁ ଦେଇଥିବା ଇସ୍ତଫା ଶରଦ ପାୱାର ପ୍ରତ୍ୟାହାର କରି ନେଇଛନ୍ତି । ଆଉ ଏବେ ଏନସିପି ଅଧ୍ୟକ୍ଷ ପଦ ଶରଦ ପାୱାର ବଜାୟ ରଖିଛନ୍ତି । ନିଜ ନିଷ୍ପତ୍ତି ବଦଳାଇବା ପରେ ପାୱାର କହିଛନ୍ତି ଯେ, ପାର୍ଟି ମୋ ଇସ୍ତଫାକୁ ଏପରି ବିରୋଧ କରିବ ବୋଲି ମୁଁ ଆଦୌ ଭାବି ନଥିଲି । ଅନେକ ରାଷ୍ଟ୍ରୀୟ ସ୍ତରର ନେତା ଫଇସଲା ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ । ବର୍ଷକ ମଧ୍ୟରେ ସାଧାରଣ ନିର୍ବାଚନ ହେବ ଏମିତିରେ ପାର୍ଟିରୁ ଅଲଗା ହେବା ଠିକ୍ ନୁହେଁ । ଆମେ ବିରୋଧୀଙ୍କୁ ଏକଜୁଟ କରିବାର କାମ କରୁଛୁ ।

ଶରଦ ପାୱାର ଆହୁରି କହିଛନ୍ତି ଯେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱରୁ ମୁକ୍ତ ହେବା ପାଇଁ ମୁଁ ବୁଝି ବିଚାରି ନିଜକୁ ପ୍ରସ୍ତୁତ କରିଥିଲି । ମୋ ପାଖରେ ସଂସଦରେ ଆହୁରି ୩ ବର୍ଷ ଅଛି ଏବଂ ଭବିଷ୍ୟତରେ ମୁଁ ଆଉ ଏକ ଭଲ ଟିମ୍ ପ୍ରସ୍ତୁତ କରିବା ପାଇଁ ବିଚାର କରୁଥିଲି ଯିଏକି ରାଜ୍ୟ ଓ ଦେଶ ସ୍ତରରେ ଏନସିପିର ଦାୟିତ୍ୱ ନେଇପାରିବ । ସେଥିପାଇଁ ମୁଁ ଗୋଟିଏ ପଟୁ ପାଦ ବଢ଼ାଇବା ଏବଂ ଆଗାମୀ ପୀଢ଼ୀକୁ ସୁଯୋଗ ଦେବା ପାଇଁ ଚିନ୍ତା କରିଥିଲି ।