ଏନସିପି ଅଧ୍ୟକ୍ଷ ପଦରୁ ଶରଦ ପାୱାର ଆଉଟ୍‌, ଅଜିତ ପାୱାର ଇନ୍‌

ମହାରାଷ୍ଟ୍ର: ମହାରାଷ୍ଟ୍ର ରାଜନୀତିରେ ଭୀଷ୍ମ ପୀତାମହ ବୋଲାଉଥିବା ଶରଦ ପାୱାର ତାଙ୍କ ରାଜନୈତିକ କ୍ୟାରିୟରର ସବୁଠୁ ଖରାପ ସମୟ ଦେଇ ଗତି କରୁଛନ୍ତି । ଗୋଟିଏ ପଟେ ୪୦ ବିଧାୟକଙ୍କ ସମର୍ଥନ ନିଜ ପାଖରେ ଥିବା କହୁଥିବା ଅଜିତ ପାୱାର ବିଜେପି ଓ ଏକନାଥ ସିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଯାଇଛନ୍ତି । ଅନ୍ୟପଟେ ଅଜିତ ପାୱାର ଓ ତାଙ୍କ ଗୋଷ୍ଠୀ ଏନସିପି ପାର୍ଟି ଓ ଚିହ୍ନ ଉପରେ ନିଜର ଅଧିକାର ଦର୍ଶାଇ ନିର୍ବାଚନ ଆୟୋଗ ମୁହାଁ ହୋଇଛନ୍ତି । ଏଥିସହିତ ତାଙ୍କ ପାଖରେ ଦୁଇ ତୃତୀୟାଂଶରୁ ଅଧିକ ବିଧାୟକ ଥିବାରୁ ପାର୍ଟି ତାଙ୍କର ବୋଲି ଅଜିତ ପାୱାର ଗୋଷ୍ଠୀ ନିର୍ବାଚନ ଆୟୋଗ ସମ୍ମୁଖରେ କହିଛନ୍ତି ।

ଅଜିତ ପାୱାର ଗୋଷ୍ଠୀ ନିର୍ବାଚନ ଆୟୋଗ ସମ୍ମୁଖରେ କହିଛନ୍ତି ଯେ, ଶରଦ ପାୱାର ଆଉ ପାର୍ଟି ଅଧ୍ୟକ୍ଷ ନାହାନ୍ତି । ତାଙ୍କ ସ୍ଥାନରେ ଅଜିତ ପାୱାରଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କରାଯାଇଛି । ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲଙ୍କ ଆହ୍ୱାନରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଜୁନ୍ ୩୦ରେ ଡକାଯାଇଥିଲା । ଏଥିରେ ଶରଦ ପାୱାରଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଅଜିତ ପାୱାରଙ୍କୁ ଚୟନ କରାଯାଇଛି ।