କାର-ଟ୍ରକ ମଧ୍ୟରେ ଧକ୍କା, ଚାଲିଗଲା ୬ ଜୀବନ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି । ଗତକାଲି( ରବିବାର) କୁଶଟାଗି ଅଞ୍ଚଳରେ କାଲକେରି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନଥିବା ବେଳେ ସମସ୍ତଙ୍କ ଘର ବିଜୟପୁର ବୋଲି ପୋଲିସ କହିଛି ।

ମିଳିଥିବା ସୂଚନା ଅନୁୟାୟୀ, ଗତକାଲି ସନ୍ଧ୍ୟାରେ କାଲକେରି ଗ୍ରାମ ନିକଟ ଜାତୀୟ ରାଜପଥରେ କାର ଓ ଟ୍ରକ ପରସ୍ପରକୁ ଧକ୍କା ଦେଇଥିଲେ । ପ୍ରାଥମିକ ସୁତ୍ରରୁ ଜଣାପଡିଛି ଯେ, କାରଟି ବିଜୟପୁରରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା ଏବଂ ଟ୍ରକଟି ତାମିଲନାଡୁରୁ ଗୁଜୁରାଟ ଅଭିମୁଖେ ଯାଉଥିଲା । ଏହାପରେ କାଲକେରି ଗ୍ରାମ ନିକଟ ଜାତୀୟ ରାଜପଥରେ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ କାରଟି ଟ୍ରକର ଚକା ତଳକୁ ଚାଲିଆସିଥିଲା । ଘଟଣା ସ୍ଥଳରେ ୬ ଜଣ ଗୁରୁତର ହୋଇପଡିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଗୁରୁତରଙ୍କୁ ହସ୍ପଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଛନ୍ତି । ତେବେ ଦୁର୍ଘଟଣାରେ କେହି ଆହତ ହୋଇଛନ୍ତି ନା ନାହିଁ ସେନେଇ ସୂଚନା ହସ୍ତଗତ ହୋଇନାହିଁ ।