ବସ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ: ୮ ଶ୍ରମିକ ମୃତ, ୨୦ ଆହତ

ଚଣ୍ଡିଗଡ଼,ଏଜେନ୍ସି: ଶୁକ୍ରବାର ହରିୟାଣା ପାଇଁ ଅତ୍ୟନ୍ତ ଅଶୁଭ ଦିନ ଥିଲା । କାରଣ ଗତକାଲି ଗୋଟିଏ ଦିନରେ ପୃଥକ ପୃଥକ ସଡକ ଦୁର୍ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ଫରିଦାବାଦ ଏବଂ ପାନିପଥରେ ଦୁର୍ଘଟଣା ଘଟି ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଅମ୍ବାଲା ଜିଲ୍ଲାରେ ବସ୍ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଯୋଗୁଁ ପୁଣି ୮ ଜଣଙ୍କର ଜୀବନ ଯାଇଥିବା ଖବର ମିଳିଛି । ବସ୍‌ ସହ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ହେବା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ସମସ୍ତ ମୃତକ ଉତ୍ତରପ୍ରଦେଶର ଶ୍ରମିକ ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ବସ୍ ଉତ୍ତରପ୍ରଦେଶର ବରେଲିରୁ ପାଖାପାଖି ୩୦ ଜଣ ଶ୍ରମିକଙ୍କୁ ନେଇ ହିମାଚଳ ପ୍ରଦେଶର ବାଡ୍ଡି ଅଭିମୁଖେ ଯାତ୍ରା କରୁଥିଲା । ଅମ୍ବାଲା ଜିଲ୍ଲାର ଶାହଜାଦାପୁର ନିକଟରେ ବସ୍‌ଟି ଆଗକୁ ବଢୁଥିବା ବେଳେ ଏତିକି ବେଳେ ହଠାତ୍ ଏକ ଦ୍ରୁତଗାମୀ ଟ୍ରକ ବସ୍‌କୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍ ଓଲଟି ପଡିବା ସହ ଭାଙ୍ଗି ଚୁରାମାର୍ ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଏଥିରେ ୨୦ ଜଣ ଶ୍ରମିକ ଆହତ ହୋଇଥିଲେ । ତେବେ ଅନେକ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି ।

ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ଏଥିରେ ପ୍ରାଣ ହରାଇଥିବା ଶ୍ରମିକମାନେ ବରେଲି ନିବାସୀ ହୋଇଥିବା ଜଣାପଡିଥିବା ବେଳେ ଏ ଯାଏଁ ସେମାନଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ ମୃତକମାନଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି । ପୋଲିସ ଦୁର୍ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଅଭିଯୁକ୍ତ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।