ଓ୍ବାଶିଂଟନ,ଏଜେନ୍ସି: ଦକ୍ଷିଣ ଆମେରିକୀୟ ଦେଶ ଇକ୍ବାଡୋରରେ ଭୂକମ୍ପ ଝଟକା । ବିଳମ୍ବିତ ରାତିରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରେକର୍ଡ କରାଯାଇଛି । ଭୂକମ୍ପ ନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ଭୂକମ୍ପର ତୀବ୍ରତା ଏତେ ମାତ୍ରାରେ ରହିଥିଲା ଯେ, ସାରା ସହରରେ ଏହା ଅନୁଭୂତ ହୋଇଥିଲା । ଅନେକ କୋଠା ଏବଂ ଘର ଭୁଶୁଡିବା ସହ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଇକ୍ବାଡୋରରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପେରୁରେ ଜଣକର ମୃତ୍ୟୁ ହୋଇଛି ।
ୟୁଏସ୍ ଜିଓଲୋଜିକାଲ ସର୍ଭେର ତଥ୍ୟ ଅନୁସାରେ, ଗତକାଲି(ଶନିବାର) ରାତି ୧୦ଟା ୪୨ ମିନିଟ ସମୟରେ ଏହି ଭୂକମ୍ପ ହୋଇଥିଲା । ଭୂକମ୍ପର ଅକ୍ଷାଂଶ ୨.୫୮ ରହିଥିବା ବେଳେ ତୀବ୍ରତା ୭୯.୭୬ ରେକର୍ଡ କରାଯାଇଥିଲା । ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭୂକମ୍ପ ହେବା ଦ୍ବାରା ଲୋକମାନେ ଭୟଭୀତ ହୋଇ ରାସ୍ତା ଉପରକୁ ଚାଲିଆସିଥିଲେ । ଗୁୟାସର ୮୦ କିଲୋମିଟର ଦକ୍ଷିଣରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ତେବେ ଭୂକମ୍ପ ପରେ ଇକ୍ବାଡୋରର ରାଷ୍ଟ୍ରପତି ଗୁଏଲର୍ମୋ ଲାସୋ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏକ ସୋସିଆଲ ମିଡିଆରେ ଭିଡିଓ ବାର୍ତ୍ତା ଜାରି କରିଥିଲେ । ଲୋକମାନଙ୍କୁ ଶାନ୍ତି ବଜାୟୀ ରଖିବା ପାଇଁ ସେ ନିବେଦନ କରିଥିଲେ ।
ଇକ୍ବାଡୋର ରେସ୍କ୍ୟୁ ମେନେଜମେଣ୍ଟ ଟିମ ପକ୍ଷରୁ କୁହାଯାଇଛି, “ଭୂକମ୍ପ ସମୟରେ କ୍ବେଙ୍କାରେ କାର ଭିତରେ ରହିଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଏଲ ଓରୋରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ବିଭିନ୍ନ ସ୍ଥାନରୁ ୧୨ଜଣଙ୍କ ମୃତ୍ୟୁ ନେଇ ଖବର ସାମ୍ନାକୁ ଆସିଥିବା ବେଳେ ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ ।”