ରିସୋର୍ଟରେ ଆଖିବୁଜା ଗୁଳିମାଡ, ଶିଶୁ ସମେତ ୭ ମୃତ

ସିଟି,ଏଜେନ୍ସି: ମେକ୍ସିକୋରେ ଥମିବାର ନା ଧରୁନି ଗୁଳିକାଣ୍ଡ ଘଟଣା । ସେଣ୍ଟାଲ ମେକ୍ସିକୋର ଏକ ରିସୋର୍ଟରେ ଗୁଳିକାଣ୍ଡ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ୩ ଜଣ ପୁରୁଷ ଓ ଜଣେ ଶିଶୁ ରହିଥିବା ଜଣାପଡିଛି । କୋର୍ଟାଜାର ପୌରାଞ୍ଚଳର ସିଟି ହଲରେ ଏହି ଗୁଳିକାଣ୍ଡ ଘଟିଥିଲା । ଗୁଳିକାଣ୍ଡରେ ଜଣେ ଗୁରୁତର ହୋଇଥିବା ମଧ୍ୟ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି(ରବିବାର) ଅପରାହ୍ନ ୪ଟା ୩୦ ମନିଟ ସମୟରେ ଲା ପାଲମା ରିସୋର୍ଟରେ କିଛି ଦୁର୍ବୃତ୍ତ ପହଞ୍ଚିଥିଲେ । କେହି କିଛି ଜାଣିବା ଆଗରୁ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଉପରୁ ଅତର୍କିତ ଗୁଳିମାଡ କରିଥିଲେ ଦୁର୍ବୃତ୍ତ । ଏହାପରେ ଘଟଣାସ୍ଥଳରେ ଭଙ୍ଗାରୁଜା କରି ସେଠାରେ ଥିବା ସିସିଟିଭି କ୍ୟାମେରାକୁ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ”ଗୁଳିମାଡ ହେବାରୁ ରିସୋର୍ଟରେ ଥିବା ବହୁ ଲୋକ ଚେୟାର ତଳେ ଲୁଚିଯାଇଥିଲେ ଓ କିଛି ଲୋକଙ୍କ ଦେହରେ ଗୁଳି ବାଜିବାରୁ ସେମାନେ ତଳେ ପଡିଯାଇଥିଲେ । ଅନେକଲୋକ ନିଜକୁ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ ।” ତେବେ ଗୁଳିକାଣ୍ଡ ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ କେଉଁ କାରଣକୁ କେନ୍ଦ୍ର କରି ଦୁର୍ବୃତ୍ତ ମାନେ ଏଠାରେ ଅତର୍କିତ ଗୁଳିମାଡ କଲେ ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।