ମାଓ କ୍ୟାମ୍ପ ଠାବ, ବିପୁଳ ମାଓ ସାମଗ୍ରୀ ଜବତ

ଫୁଲବାଣୀ,ଏନ୍ଏନ୍ଏସ୍ : କନ୍ଧମାଳ ପୁଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଗତକାଲିି ରାତିରେ ଏସଓଜି ପୁଲିସ୍ ଓ ଡିବିଏଫ ପକ୍ଷରୁ ମିଳିତ ଭାବେ ଫୁଲବାଣୀ ନୟାଗଡ ସୀମାନ୍ତ ଜଙ୍ଗଲରେ କୁମ୍ବିଂ ଅପରେସନ କରୁଥିବା ବେଳେ ଏକ ମାଓ କ୍ୟାମ୍ପ ଠାବ କରିଛି । କ୍ୟାମ୍ପରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି । ତେବେ କେହି ମାଓବାଦୀ ଧରାପଡିନଥିବା ବେଳେ ଏକ ବଡ ଧରଣର ମାଓ ହାମଲାକୁ ପୁଲିସ୍ ପଣ୍ଡ କରିଦେଇଥିବା ଜଣା ପଡିଛି।

ସୂଚନା ଅନୁଯାୟୀ, ଫୁଲବାଣୀ ନୟାଗଡ ସୀମାନ୍ତ ଅଂଚଳରେ ମାଓବାଦୀଙ୍କ ଚଳପ୍ରଚଳ ନେଇ ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇ ଏସପି ପ୍ରତିକ୍ ସିଂ କୁମ୍ବିଂ ଅପରେସନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ରାତିରେ ଉକ୍ତ ଅଂଚଳରେ ପୁଲିସ୍ ପକ୍ଷରୁ ଜୋରଦାର କୁମିଂ ଅପରେସନ କରାଯାଇଥିଲା । କୁମ୍ବିଂ ବେଳେ ଜଙ୍ଗଲ ମଧ୍ୟରେ ମାଓ କ୍ୟାମ୍ପ ଠାବ କରିଥିଲା ପୁଲିସ୍ । ତେବେ ପୁଲିସ୍ ପହଂଚିବା ପୂର୍ବରୁ ମାଓବାଦୀମାନେ ସୂଚନା ପାଇ ସେଠାରୁ ପଳାୟନ କରିଥିଲେ।

ସେଠାରୁ ପୁଲିସ ବିପୁଳ ପରିମାଣରେ ମାଓ ସାମଗ୍ରୀ ଝବତ କରିଛି। ଜବତ ମାଓ ସାମଗ୍ରୀ ମଧ୍ୟରେ ରହିଛି ୱାକିଟକି, ଡିଜିଟାଳ କ୍ୟାମେରା, ଅତ୍ୟାଧୁନିକ ବଣ୍ୟଜନ୍ତୁଙ୍କ ଫଟୋ ଉଠାଇବା କ୍ୟାମେରା, ବହୁ ପରିମାଣର ମାଓ ଲିଫଲେଟ୍, ବହି, ସୋଲାର ପ୍ୟାନେଲ, ମାଓ ପୋଷାକ, ଟର୍ଚ, ଔଷଧ ଓ ଅନ୍ୟ ଆସବାବପତ୍ର। ସେହି କ୍ୟାମ୍ପରେ ୧୫ ରୁ ୨୦ ଜଣ ମାଓବାଦୀ ଥିବା ଜଣା ପଡୁଥିବା ବେଳେ କିଛି ଗୋଟିଏ ବଡ ଧରଣର ମାଓକାଣ୍ଡ ଘଟାଇବାକୁ ଯୋଜନା କରୁଥିବା ସନ୍ଦେହ କରାଯାଉଛି । ବର୍ତମାନ ସୁଦ୍ଧା ମାଓବାଦୀଙ୍କୁ ଧରିବାକୁ ଉକ୍ତ ଜଙ୍ଗଲରେ ପୁଲିସ୍ ତା’ର କୁମ୍ବିଂ ଅପରେସନ ଜାରି ରଖିଥିବା ଜଣା ପଡିଛି।