ଶେଖ୍ ହସିନାଙ୍କୁ ହତ୍ୟା ଉଦ୍ୟମ ମାମଲା, ୧୪ ଆତଙ୍କବାଦୀଙ୍କୁ ମୃତ୍ୟୁଦଣ୍ଡାଦେଶ

ଢାକା, ଏଜେନ୍ସି: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ହତ୍ୟା ଉଦ୍ୟମ କରିଥିବା ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ହୁଜି (ହରକତୁଲ ଜିହାଦ୍) ସଂଗଠନର ୧୪ ଜଣ ଆତଙ୍କବାଦୀଙ୍କୁ ସ୍ଥାନୀୟ ଏକ ଅଦାଲତ ମଙ୍ଗଳବାର ମୃତ୍ୟୁଦଣ୍ଡାଦେଶ ପ୍ରଦାନ କରିଛନ୍ତି। ୨୦୦୦ ମସିହାରେ ହସିନା ତାଙ୍କର ନିର୍ବାଚନମଣ୍ଡଳୀ ଗସ୍ତ କରୁଥିବାବେଳେ ଏହି ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଦୋଷୀଙ୍କୁ ଗୁଳିକରି ହତ୍ୟା କରାଯିବ ବୋଲି ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଥିବାବେଳେ ୨୦୦୦ ଜୁଲାଇ ୨୧ରେ ହସିନା ଗୋପାଳଗଞ୍ଜ ଜିଲ୍ଲା ଅନ୍ତର୍ଗତ କୋତାଲିପାଡାଠାରେ ଏକ ସଭାକୁ ଉଦ୍ବୋଧନ ଦେଉଥିବାବେଳେ ସଭା ମଞ୍ଚଠାରୁ ୫୦ ଫୁଟ ଦୂରରେ ଏହି ଆତଙ୍କବାଦୀମାନେ ଖଞ୍ଜିଥିବା ୭୬ କିଲୋ ଓଜନର ଏକ ଟାଇମ୍ ବୋମାକୁ ପୁଲିସ ଠିକଣା ସମୟରେ ଠାବ କରିବାରୁ ହସିନା ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ।