ଅସ୍ତରଙ୍ଗ,ଏନ୍ଏନ୍ଏସ୍: ସାମୁଦ୍ରିକ ମାଛଧରା କଟକଣାକୁ ଉଲ୍ଲଂଘନ କରି ବେଆଇନ ଭାବେ ମାଛ ମାରୁଥିବା ଲକ୍ଷ୍ମୀ ମନ୍ଦିର ନାମକ ଟ୍ରଲରକୁ ଅସ୍ତରଙ୍ଗ ବନ ବିଭାଗର ପେଟ୍ରୋଲିଂ ଟିମ୍ ଜବତ କରିଛି । ଏହି ଟ୍ରଲରରେ ଥିବା ୮ଜଣ ମତ୍ସ୍ୟଜୀବୀଙ୍କୁ ବନ ବିଭାଗ ପେଟ୍ରୋଲିଂ ଟିମ୍ ଅଟକ ରଖିଛି ।
ମିଳିଥିବା ରିପୋର୍ଟ ମୁତାବକ, ଲକ୍ଷ୍ମୀ ମନ୍ଦିର ନାମକ ଟ୍ରଲର ଅସ୍ତରଙ୍ଗ କେଳୁଣୀ ମୁହାଣ ନିକଟସ୍ଥ ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ମାରୁଥିଲେ । ଏହି ସମୟରେ ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ବିଚିତ୍ରାନନ୍ଦ ବେହେରାଙ୍କ ନେତୃତ୍ୱରେ ବନପାଳ ପ୍ରଦୀପ ପାଣିଗ୍ରାହୀ, ମାନସ ରଞ୍ଜନ ବେହେରା ଓ ବନ ସୁରକ୍ଷା କର୍ମୀ ଅବିନାସ ଖୁଣ୍ଟିଆଙ୍କ ସହିତ ତଟରକ୍ଷୀ ବାହିନୀ ମୁହାଣ ନିକଟରେ ପହଞ୍ଚି କେଳୁଣୀ ମୁହାଣ ନିକଟରୁ ଟ୍ରଲରକୁ ଜବତ କରି ଚନ୍ଦ୍ରଭାଗାରେ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରିଛନ୍ତି । ସାମୁଦ୍ରିକ ପ୍ରାଣୀ ବିରଳ ଅଲିଭ୍ ରିଡ଼ଲେ କଇଁଛଙ୍କ ସୁରକ୍ଷା ଓ ଗଣ ଅଣ୍ଡାଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନଭେମ୍ବର ପହିଲାରୁ ମେ’ ୩୧ ପର୍ଯ୍ୟନ୍ତ ୬ମାସ ପାଇଁ ସମୁଦ୍ର ଜଳ ରାଶିରେ ମାଛଧରା ଉପରେ କଟକଣା ଜାରି କରିଥିବାବେଳେ ୨୫ଦିନ ମଧ୍ୟରେ ଅସ୍ତରଙ୍ଗ ସାମୁଦ୍ରିକ ଜଳରାଶିରୁ ସଂପୃକ୍ତ ଟ୍ରଲରକୁ ମିଶାଇ ୭ଟି ଟ୍ରଲର ଅସ୍ତରଙ୍ଗ ବନ ବିଭାଗ ପେଟ୍ରୋଲିଂ ଟିମ୍ ଜବତ କରିସାରିଛି । ହେଲେ ମତ୍ସ୍ୟ ବିଭାଗ ଅଧିକାରୀମାନେ ଟ୍ରଲର ମାଫିଆଙ୍କ ସହ ମସୁଧା କରି ଜବତ ଟ୍ରଲରଗୁଡ଼ିକୁ ଖସାଇ ଦେଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ସେଥିପାଇଁ ଅସ୍ତରଙ୍ଗ ମତ୍ସ୍ୟ ବିଭାଗ ଜବତ ଟ୍ରଲରକୁ କଡ଼ାକଡ଼ି ଯାଞ୍ଚ କରି ଟ୍ରଲର ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।