ସେହଲା ରାସିଦଙ୍କ ନାଁ’ରେ ଦେଶଦ୍ରୋହ ଅଭିଯୋଗ ଆଣିଲେ ବାପା

ଜାମ୍ମୁ,ଏଜେନ୍ସି: ଜେଏନୟୁର ପୂର୍ବତନ ଛାତ୍ର ସଂଘ ନେତ୍ରୀ ସେହଲା ରାସିଦ ସୋହରାଙ୍କ ବାପା ଅବଦୁଲ ରାସିଦ ସେହରା ଝିଅ ନାଁରେ ସଙ୍ଗିନ ଅଭିଯୋଗ କରିଛନ୍ତି। ତାଙ୍କ ଝିଅ ସେହଲା ଦେଶଦ୍ରେହ କାର୍ଯ୍ୟରେ ଲିପ୍ତ ଥିବା ସହ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି। ଏନେଇ ସେ ଜାମ୍ମୁ-କାଶ୍ମୀର ଡିଜିପିଙ୍କୁ ଏକ ଚିଠି ଲେଖିଛନ୍ତି।

ସେଥିରେ ସେ ଲେଖିଛନ୍ତି ଯେ, ମତେ ମୋ ଝିଅ ଜୀବନରୁ ମାରି ଦେବାକୁ ଧମକ ଦେଉଛି। ଏଥିରେ ତାର ବଡ଼ ଭଉଣୀ ଅସ୍ମା ରାସିଦ, ମୋ ସ୍ତ୍ରୀ ଜୁବୈଦା ସୋହରା ଓ ତା ଅଙ୍ଗରକ୍ଷୀ ସାକିବ ଅହମ୍ମଦ ସହଯୋଗ କରୁଛନ୍ତି। ଯେତେବେଳେ ପ୍ରଥମ ଥର ପାଇଁ ସେହଲା ୨୦୧୭ରେ କାଶ୍ମୀର ରାଜନୀତିକୁ ଆସିଲେ ସେବେଠାରୁ ସେ ମତେ ଧମକ ଦେଇ ଆସୁଛି। ଏବେ ଏହା ଅସହ୍ୟ ହୋଇଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ସୂଚନା ଅନୁସାରେ ୟୁଏପିଏ ଅଧୀନରେ ଆତଙ୍କବାଦୀ ପାଣ୍ଠି ମାମଲାରେ ଜହୁର ଭାଟଲି ଗିରଫ ହେବାର ୨ ମାସ ପୂର୍ବରୁ ଜୁନ୍ ୨୦୧୭ରେ ଅବଦୁଲ ରାସିଦଙ୍କୁ ଶ୍ରୀନଗରର ଭାଟଲିଙ୍କ ବାସଭବନକୁ ଭାଟଲି ଓ ପୂର୍ବତନ ବିଧାୟକ ରସିଦ ଇଞ୍ଜିନିୟର ଡାକିଥିଲେ। ସେଠାରେ ସେମାନେ ସେହଲାଙ୍କୁ ତାଙ୍କ ସହ ସାମିଲ କରିବା ପାଇଁ ୩ କୋଟି ଟଙ୍କା ଯାଚିଥିଲେ।

ପରେ ଅବଦୁଲ ରାସିଦ ଝିଅ ସେହଲାଙ୍କୁ ସେ ଟଙ୍କା ନ ନେବାକୁ କହିଥିଲେ। କିନ୍ତୁ ପରେ ଝିଅ ସେହଲା ସେ ଟଙ୍କା ଆଣିଥିବା ଜଣାପଡ଼ିଥିଲା। ଏନେଇ ସେହଲା ଏ କଥା କାହାରିକୁ ନ କହିବାକୁ ଧମକ ଦେଇଥିଲେ। ଯଦି କଥା ପଦାକୁ ଆସେ ତା ହେଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏନେଇ ଅବଦୁଲ ରାସିଦ ଡିଜିପିଙ୍କ ସହାୟତା ଲୋଡିଛନ୍ତି।