ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ନୂଆଦିଲ୍ଲୀ,ଏଜେନ୍ସି: ଆଜିଠୁ ସଂସଦରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏପ୍ରିଲ ୬ ତାରିଖ ଯାଏ ହେବାକୁ ଥିବା ଏହି ଅଧିବେଶନରେ ମୋଟ ୧୭ଟି କାର୍ଯ୍ୟ ଦିବସ ରହିଛି । ଦ୍ବିତୀୟ ପର୍ଯ୍ୟାୟ ବିଜେଟ ଅଧିବେଶକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ହୋଇଛନ୍ତି । ବିଶେଷ କରି ଆଦାନୀ ପ୍ରସଙ୍ଗ, ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥାଙ୍କ କାର୍ଯ୍ୟକଳାପକୁ ମୁଦ୍ଦା କରି ସରକାରଙ୍କୁ ଘେରିବାକୁ ବିରୋଧୀ ସଜବାଜ ହୋଇଛନ୍ତି ।

ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହୋଇଥିଲା । ପ୍ରତିଦିନ ଗୃହରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ଆଦାନୀ ଝଡରେ କମ୍ପିଥିଲା ଗୃହ । ଆଦାନୀ ପ୍ରସଙ୍ଗରେ ଜେପିସି ଦାବି କରି ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଦାନୀ ମାମଲାରେ ସଂଯୁକ୍ତ ସଂସଦୀୟ ସମିତି ଗଠନ ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅଧୀନରେ ମାମଲାର ତଦନ୍ତ ଦାବି କରିଥିଲେ ବିରୋଧୀ । ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ମଧ୍ୟ ବିରୋଧୀ ସମାନ ପ୍ରସଙ୍ଗକୁ ମୁଦ୍ଦା କରିପାରନ୍ତି ।