ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ ଦେହ ସତୀଗୁଡ଼ା ଜଳଭଣ୍ଡାରୁ ଉଦ୍ଧାର

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା ଶୁକ୍ରବାର ଠାରୁ ନିଖୋଜ ଥିବାବେଳେ ଶନିବାର ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଶ୍ରୀ ପଣ୍ଡା ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨.୩୦ରେ ପି.ଡବ୍ଲ୍ୟ.ଡି କଲୋନୀସ୍ଥିତ ସରକାରୀ ବାସଭବନରେ ମଧ୍ୟାହ୍ନ ଭୋଜନ କରି ଏକ ବୈଠକ ଥିବା କହି ଘରୁ ବାହାରିଥିଲେ।

ପରେ ସେ ଘରକୁ ନଫେରିବାରୁ ତାଙ୍କ ପତ୍ନୀ ବାରମ୍ବାର ମୋବାଇଲ ଫୋନକୁ କଥା ହେବାକୁ ଚେଷ୍ଟା କରିବା ସତ୍ୱେ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିଲା। ପରେ ରାତ୍ର ପ୍ରାୟ ୧୨ ଟା ବେଳେ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଏ ବିଷୟରେ ଜଣାଇବା ପରେ ଜିଲ୍ଲାପାଳ ଏଥିନେଇ ପୁଲିସକୁ ଖବର ଦେଇଥିଲେ। ପରେ ତାଙ୍କ ପରିବାରବର୍ଗ ପୋଡ଼ଶୀଙ୍କ ସହାୟତାରେ ମାଲକାନଗିରି ଥାନାରେ ନିଖୋଜ ନେଇ ଏକ ଏତଲା ଦେଇଥିଲେ। ତେବେ ଶନିବାର ସକାଳେ ପୁଲିସ ତଦନ୍ତ କରିବା ବେଳେ ତାଙ୍କ ମୋଟର ସାଇକେଲ ଓ ହେଲମେଟ ସତୀଗୁଡ଼ା ଡ୍ୟାମ ନିକଟରୁ ମିଳିଥିଲା।

ପରେ ଅଗ୍ନିଶମ ସେବା ବାହିନୀର ସହାୟତାରେ ଜଳ ଭଣ୍ଡାରରେ ତାଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବହୁ ସମୟ ଧରି ତଲାସୀ କରିବା ପରେ ଅଗ୍ନିଶ୍ରମ ସେବା ବାହିନୀର କର୍ମଚାରୀମାନେ ତାଙ୍କ ମୃତ ଦେହକୁ ଉଦ୍ଧାର କରିଛନ୍ତି। ମାଲକାନଗିରି ପୁଲିସ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ସେ ଗତକିଛି ଦିନ ଧରି ମାନସିକ ଚାପରେ ରହୁଥିବା ଚର୍ଚ୍ଚା ଜୋର ଧରିଛି। କେଉଁ କାରଣରୁ ଚାପରେ ଥିଲେ ତାହା ବର୍ତମାନ ସୁଦ୍ଧା ସ୍ୱଷ୍ଟ ହୋଇନାହିଁ। ମାଲକାନଗିରି ଥାନା ପୁଲିସ ଏହା ଆତ୍ମହତ୍ୟା ନା ହତ୍ୟା ଏଥିନେଇ ଅନୁସନ୍ଧାନ କରୁଥିବା ବେଳେ ତଦନ୍ତ ପରେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ଜଣାପଡ଼ିଛି।