ପାରାଦୀପ ସମୁଦ୍ର ଉପକୂଳରେ ‘ସି ଭିଜିଲ’ ମିଳିତ ସମରାଭ୍ୟାସ

ପାରାଦୀପ,ଏନ୍ଏନ୍ଏସ୍: ପାରାଦୀପ ସମୁଦ୍ର ଉପକୂଳରେ ୨ ଦିନିଆ ସମରାଭ୍ୟାସ ‘ସି ଭିଜିଲ’ ଆରମ୍ଭ ହୋଇଯାଇଛି। ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ପକ୍ଷରୁ ପାରାଦୀପ ସମୁଦ୍ର ଉପକୂଳରେ ଏହି ସମରାଭ୍ୟାସର ଆୟୋଜନ କରାଯାଇଛି। ଏଥିରେ ନୌସେନା, ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୁଲିସ, ସୀମା ଶୁଳ୍କ ବିଭାଗ, ବନ ବିଭାଗ, ମତ୍ସ୍ୟ ବିଭାଗ ଏବଂ ଓଡ଼ିଶା ପୁଲିସ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ସଂସ୍ଥା ବଳ, ଗୁଇନ୍ଦା ବିଭାଗ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୮ଟି ସଂସ୍ଥା ସାମିଲ ହୋଇଛି। ଏହି ପରିପ୍ରେକ୍ଷୀରେ ରେଡ ଟିମ ଓ ବ୍ଲୁ ଟିମ ଭାବେ ୨ଟି ଦଳ ପ୍ରସ୍ତୁତ ହୋଇଛି।

ଛଦ୍ମବେଶୀ ଅନୁପ୍ରବେଶକାରୀ ଭାବେ ରେଡ ଟିମ୍ ସମୁଦ୍ର ମଧ୍ୟରେ ମାଛଧରା ଟ୍ରଲର ସାହାଯ୍ୟରେ ମତ୍ସ୍ୟଜୀବୀ ବେଶରେ ସ୍ଥଳଭାଗକୁ ପ୍ରବେଶ ପାଇଁ ଉଦ୍ୟମ କରିବେ। ବ୍ଲୁ ଟିମ୍ ସେମାନଙ୍କୁ ଠାବ କରିବ। ଏହା ପରେ ମିଳିତ ସମରାଭ୍ୟାସ ଶେଷ ହେବ। ବିଭିନ୍ନ ବିଭାଗ କିପରି ସମନ୍ୱୟ ରକ୍ଷା କରି ବିପଦ ଆସିଲେ ସହଜରେ ତାର ମୁକାବିଲା କରିପାରିବେ ଓ ଜନସାଧାରଣଙ୍କ ଧନ ଜୀବନ ସୁରକ୍ଷିତ ରଖିପାରିବେ ସେ ନେଇ ଏହି ସମରାଭ୍ୟାସ ଚାଲିଛି।