ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଗ୍ରସ୍ତ: ୪ ଜଣ କଲେଜ ଛାତ୍ରୀ ଗୁରୁତର

ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୀତାପଡ଼ି ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଗ୍ରସ୍ତ। ଦୁର୍ଘଟଣାରେ ସ୍କୁଟିରେ ବସିଥିବା ୪ ଜଣ କଲେଜ ଛାତ୍ରୀ ଗୁରୁତର ‌ହୋଇଥିବା ଜଣାପଡ଼ିଛି। ସମସ୍ତ ଛାତ୍ରୀ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଛାତ୍ରୀ ହୋଇଥିବା ଜଣାପଡ଼ିଛି।

ଖବରପାଇ ଘଟଣାସ୍ଥଳରୁ ପ୍ରଥମେ ଯୁବ ସମାଜସେବୀ ଅରୁଣ ନାୟକ ଘଟଣାସ୍ଥଳରୁ ସମସ୍ତ ଛାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଗୁରୁତର ୪ ଜଣ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର +୨ ଛାତ୍ରୀ କାମିନି ପ୍ରଧାନ(ସିର୍ତ୍ତିଗୁଡ଼ା), ଗ୍ରେସି ଦିଗାଳ(ସିର୍ତ୍ତିଗୁଡ଼ା, ଆରତୀ ଘଡ଼େଇ(ବାରଖମା) ଓ ଆଥେଲିନ୍ ପ୍ରଧାନ(ସିନ୍ଧିପାଙ୍ଗା) ଅଞ୍ଚଳର ହୋଇଥିବା ଜଣାପଡ଼ିଛି।

ସୂଚନା ପ୍ରକାରେ କ୍ଲାସ୍ ସରିବାପରେ ବାଲିଗୁଡ଼ାରୁ ସୀତାପଡ଼ି ଅଞ୍ଚଳକୁ ସ୍କୁଟିରେ ଚାରିଜଣ ସାଙ୍ଗ ବୁଲିବାକୁ ଯାଇଥିବାବେଳେ ସିତାପଡ଼ି ନିକଟ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଅନ୍ୟପଟେ ପ୍ରାଥମିକ ଚିକିତ୍ସା ପରେ କାମିନୀ ପ୍ରଧାନ,ଗ୍ରେସି ଦିଗାଳ ଓ ଆରତୀ ଘଡ଼େଇଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଆଥେଲିନ୍ ପ୍ରଧାନ ବର୍ତ୍ତମାନ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସେପଟେ ବାଲିଗୁଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ସ୍କୁଟିକୁ ଜବତ କରିବାସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।