ଆଜିଠାରୁ ଦିଲ୍ଲୀରେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ

ନୂଆଦିଲ୍ଲୀ,ଏଜେନ୍ସି: ସୁପ୍ରିମକୋର୍ଟଙ୍କ କାର୍ଯ୍ୟାନୁଷ୍ଠାନର ଚେତାବନୀ ପରେ ଆକ୍ସନ ମୋଡକୁ ଆସିଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀରେ ପ୍ରଦୂଷଣ ବଢ଼ୁଥିବାରୁ ରାଜ୍ୟ ସରକାର ପୁଣିଥରେ ସମସ୍ତ ସ୍କୁଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଛନ୍ତି। ଆସନ୍ତାକାଲି ଠାରୁ ଏହି ନିୟମ କାର୍ଯ୍ୟକାରୀ ହେବ। ଏ ସମ୍ପର୍କରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଲ ରାୟ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପ୍ରଦୂଷଣ ସ୍ଥିତିରେ ସୁଧାର ଆସିବାର ପୂର୍ବାନୁମାନ କରି ଆମେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲୁ। କିନ୍ତୁ ବାୟୁର ଗୁଣବତ୍ତା ପୁଣିଥରେ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆମେ ଶୁକ୍ରବାର ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍କୁଲଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛୁ। ଏହାପୂର୍ବରୁ ପ୍ରଦୂଷଣ ପାଇଁ ଦିଲ୍ଲୀ ସରକାର ପ୍ରାୟ ୧୫ ଦିନ ସ୍କୁଲ ବନ୍ଦ କରିଥିଲେ। ଏହାପରେ ନଭେମ୍ବର ୨୯ରୁ ସ୍କୁଲ ଖୋଲିଥିଲା। ତଥାପି ପିଲାମାନଙ୍କ ପାଇଁ ଅନଲାଇନ କ୍ଲାସର ବିକଳ୍ପ ମଧ୍ୟ କରାଯାଇଥିଲା।