ନୂଆଦିଲ୍ଲୀ,ଏଜେନ୍ସି: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ନେଇ ବଡ଼ ବୟାନ ଦେଇଛନ୍ତି ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ଜମ୍ମୁ-କଶ୍ମୀରର ପୁଞ୍ଚରେ ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରି ଆଜାଦ୍ କହିଛନ୍ତି ଯେ “ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ୩୦୦ ଆସନ ଜିତିବ ବୋଲି ମୋର ଆଶା ନାହିଁ। ତେଣୁ ମୁଁ ଏହାକୁ ନେଇ କୌଣସି ଭୁଲ କିମ୍ବା ମିଛ ପ୍ରତିଶ୍ରୁତି ଦେଇପାରିବି ନାହିଁ।” ଧାରା ୩୭୦ ଉଚ୍ଛେଦ ପରେ ଏହାକୁ ପୁଣିଥରେ ଲାଗୁ କରିବାକୁ ପୁଞ୍ଚ ସମେତ କଶ୍ମୀରର ବିଭିନ୍ନ ସ୍ଥାନରେ ଦାବି ହେଉଛି। ସେ କହିଛନ୍ତି, ସଂସଦରେ ଧାରା ୩୭୦କୁ ନେଇ ସେ ଏକାକୀ ଦୀର୍ଘବର୍ଷ ହେଲା ସ୍ୱର ଉଠାଇଥିଲେ।
ଧାରା ୩୭୦ ପୁଣି ଲାଗୁ କରିବା ପ୍ରସଙ୍ଗରେ ଆଜାଦ କହିଛନ୍ତି, “ଯେତେବେଳେ ମାମଲା କୋର୍ଟରେ ରହିଛି ସେତେବେଳେ ମୁଁ ତାରା ତୋଳି ଆଣିବା ଓ ଚାନ୍ଦକୁ ମାଟିକୁ ନେଇ ଆସିବା ଭଳି କଥା କହିବି ନାହିଁ। ସୁପ୍ରିମକୋର୍ଟଙ୍କ ବ୍ୟତୀତ ଏହି ପ୍ରସଙ୍ଗରେ କେବଳ କ୍ଷମତାରେ ଥିବା ସରକାର ହିଁ କିଛି କରିପାରିବେ। ସୂଚନାଯୋଗ୍ୟ, ୨୦୧୯ ମସିହା ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଉପତ୍ୟକାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ।