ସାଉଦି ନ୍ୟୁଜିଲାଣ୍ଡ୍‌ର ଶ୍ରେଷ୍ଠ କ୍ରିକେଟର୍

କ୍ରାଏଷ୍ଟ୍‌ଚର୍ଚ୍ଚ,ଏଜେନ୍ସି: ପେସର୍ ଟିମ୍ ସାଉଦି ନ୍ୟୁଜିଲାଣ୍ଡ୍‌ର ଶ୍ରେଷ୍ଠ କ୍ରିକେଟର୍ ପୁରସ୍କାର ହାସଲ କରିଛନ୍ତି। ଏହି ଡାହାଣହାତୀ ପେସର୍ ଜଣକ ଗୁରୁବାର ଏଥିସକାଶେ ସାର୍ ରିଚାର୍ଡ ହାଡ୍‌ଲି ମେଡାଲ୍ ପାଇଛନ୍ତି। ଗତ ୨୦୨୧ ବର୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ ଆଧାରରେ ସାଉଦିଙ୍କୁ ନ୍ୟୁଜିଲାଣ୍ଡ୍ କ୍ରିକେଟ୍ (ଏନ୍‌ଜେଡ୍‌ସି)ର ତିନିଦିନିଆ ବାର୍ଷିକ ଉତ୍ସବର ଶେଷ ସନ୍ଧ୍ୟାରେ ଏହି ପୁରସ୍କାର ମିଳିଛି। ସମ୍ପ୍ରତି ଚାଲିଥିôବା ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣରେ କୋଲ୍‌କାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳୁଥିବା ୩୩ ବର୍ଷୀୟ ସାଉଦି ଗତବର୍ଷକ ଭିତରେ ଉଭୟ ଘରୋଇ ଓ ବିଦେଶରେ ଏବଂ ଉଭୟ ଟେଷ୍ଟ୍ ଏବଂ ସୀମିତ ଓଭର୍ କ୍ରିକେଟ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ।

୨୦୨୧ରେ ସାଉଦି ୩୬ଟି ଟେଷ୍ଟ୍ ୱିକେଟ୍ ହାସଲ କରିଥିବା ବେଳେ ତାଙ୍କର ଆଭରେଜ୍ ୨୩.୮୮ ରହିଛି। ଲର୍ଡ୍ସଠାରେ ଇଂଲଣ୍ଡ ବିପକ୍ଷରେ ସେ ୪୩ ରନ୍ ଦେଇ ୬ଟି ୱିକେଟ୍ ହାସଲ କରିଥିଲେ, ଯାହାକି ତାଙ୍କର ଗତବର୍ଷ ଟେଷ୍ଟ୍ କ୍ରିକେଟ୍‌ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଏହାଛଡ଼ା ସାଉଥାମ୍ପଟନ୍‌ଠାରେ ଖେଳାଯାଇଥିବା ଭାରତ ବିପକ୍ଷ ପ୍ରଥମ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ ଫାଇନାଲ୍‌ରେ ମଧ୍ୟ ସାଉଦି ୫ ୱିକେଟ୍‌ର ସଫଳତା ପାଇଥିଲେ। ଏଥିସହ ସାଉଦି ନ୍ୟୁଜିଲାଣ୍ଡ୍ ପକ୍ଷରୁ ତୃତୀୟ ସର୍ବାଧିକ ଟେଷ୍ଟ୍ ୱିକେଟ୍ ମଧ୍ୟ ହାସଲ କରିସାରିଛନ୍ତି। ଟେଷ୍ଟ୍ ୱିକେଟ୍ ତାଲିକାରେ ତାଙ୍କ ନାମରେ ୩୩୮ଟି ୱିକେଟ୍ ରହିଥିବା ବେଳେ ଏହା ପୂର୍ବତନ ଅଧିନାୟକ ଡାନିଏଲ୍ ଭିଟ୍ଟୋରୀଙ୍କଠାରୁ ୨୩ ଓ ବିଶ୍ୱର ଅନ୍ୟତମ ଆଗଧାଡ଼ିର ଅଲ୍‌ରାଉଣ୍ଡର୍ ମଧ୍ୟରେ ଅନ୍ୟତମ ହାଡ୍‌ଲିଙ୍କଠାରୁ ୯୩ଟି କମ୍ ରହିଛି।

ଏହି ଆୱାର୍ଡ ଜିତିବା ପରେ ଏଥିପାଇଁ ନିଜକୁ ଗୌରବାନ୍ୱିତ ମନେ କରୁଥିବା ସାଉଦି କହିଛନ୍ତି। ଯେ କହିଛନ୍ତି ଯେ ଦେଶର ଅଧିକାଂଶ କ୍ରିକେଟର୍‌ଙ୍କ ଆଦର୍ଶ ସାର୍ ରିଚାର୍ଡ ରହିଥିବା ବେଳେ ତାଙ୍କ ନାମରେ ନାମିତ ପୁରସ୍କାର ହାସଲ କରିବା କମ୍ ଗୌରବର ବିଷୟ ନୁହେଁ। ଏହି ସମ୍ମାନ ବିଗତ ଦିନରେ ଦଳ ପାଇଁ ତାଙ୍କର ପ୍ରଦର୍ଶନକୁ ସୂଚାଇବା ସହ କିପରି ଏକ ଟିମ୍ ଭାବେ ନ୍ୟୁଜିଲାଣ୍ଡ୍ ସଫଳତା ପାଇପାରଛି, ତାହା ମଧ୍ୟ ପ୍ରମାଣିତ କରିଛି ବୋଲି ସାଉଦି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।