ସରୋଜ କର୍ଣ୍ଣ ହେଲେ କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ଉପସଭାପତି

ଗୁମାଗଡ଼,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲାର ବରିଷ୍ଠ ନେତା ସରୋଜ କର୍ଣ୍ଣ ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସମ୍ବଲପୁରରେ ଗତ ୧୦ ତାରିଖରେ ଆୟୋଜିତ ସଂଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସରୋଜଙ୍କୁ ଏହି ପଦବୀ ନିମନ୍ତେ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଛି । ସରୋଜ ମାଲକାନଗିରି, ନୂଆପଡ଼ା ଓ ବୌଦ୍ଧ ଜିଲ୍ଲାର ସାଂଗଠନିକ ଦାୟିତ୍ୱ ବୁଝିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏନେଇ ରାଜ୍ୟ ସଭାପତି ବିଜୟ ମହାନ୍ତି ଘୋଷଣା କରିବା ସହ ସରୋଜ ତାଙ୍କର ଦୀର୍ଘ ଦିନର ଅନୁଭୂତି ଆଧାରରେ ଏହି ପଦବୀରେ ରହି ସଂଘର ଉନ୍ନତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ସରୋଜ କର୍ଣ୍ଣ ଗତ କିଛିବର୍ଷ ଧରି ଶ୍ରମିକ ସଂଗଠନର ବିଭିନ୍ନ ପଦ ପଦବୀରେ ରହି ସୂଚାରୁ ରୂପେ ଦାୟିତ୍ୱ ତୁଲାଉଛନ୍ତି । ଏହି ନୂତନ ପଦବୀ ପାଇଁ ନିର୍ବାଚିତ ହେବା ଅବସରରେ ଶ୍ରୀ କର୍ଣ୍ଣ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଓ ଅନ୍ୟ କର୍ମକର୍ତ୍ତା ତଥା ସଦସ୍ୟଙ୍କୁ କୃତଜ୍ଞତା ଜଣାଇବା ସହିତ କେନ୍ଦୁପତ୍ର କର୍ମଚାରୀଙ୍କ ଉନ୍ନତି ପାଇଁ ତାଙ୍କର ପ୍ରୟାସ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ।